କିଟ୍ ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତ୍ତନ, ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶନିବାର କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ। ବତ୍ତମାନର ଜ୍ଞାନ ଯୁଗ ନୂତନ ସର୍ଜ୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ। ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ସମୟରେ ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଭାରତ କ୍ଷୀପ୍ର ଗତିରେ ଯୋଗଦାନ କରିଚାଲିଛି। ଆମ ଦେଶର ଯୁବକମାନେ ଏହି ଷ୍ଟାର୍ଟଅପ୍ ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି । ତୁମେମାନେ ଦେଶର ପରବର୍ତ୍ତୀ ନେତୃତ୍ୱ।
ତୁମର ଭବିଷ୍ୟତ ଦେଶର ଭବିଷ୍ୟତ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ଏକ ସୁଯୋଗ ରହିଛି। ମୁଁ ନିଶ୍ଚିତ, କିଟ୍ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ। କିଟ୍ ତାର ରୌପ୍ୟ ଜୟନ୍ତୀ ଅବସରରେ ୧୮ତମ ସମାବର୍ତ୍ତନ ପାଳନ କରୁଛି। ଗତ ୨୫ବର୍ଷ ମଧ୍ୟରେ ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ କିଟ୍ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି। ଅଳ୍ପ ସମୟ ମଧ୍ୟରେ କିଟ୍ ଆମେରିକାର ଆବେଟ୍ ସ୍ୱୀକୃତି ସହ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସ୍ୱୀକୃତି ଲାଭ କରିପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ମଧ୍ୟ କିଟ୍ର ଉଲ୍ଲେଖନୀୟ ଅବଦାନ ରହିଆସିଛି। ଶିକ୍ଷା କ୍ଷେତ୍ରରେ ଅସମାନତା ଦୂର କରିବାରେ କିଟ୍ର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
