ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ୱାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଅଧୀନରେ ଅସ୍ତ୍ରୋପଚାର ସେବା ଗୁଡ଼ିକ ଚୂଡାନ୍ତ କରିବା ନିମନ୍ତେ ଏକ ଟିମ ଜିଲ୍ଲା ଗସ୍ତ କରିଛନ୍ତି। ଏନେଇ ଜିଲ୍ଲାକୁ ଡିଏଚଏସ(ଓ)ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ଡିଏମଇଟି ଡା. ଉମାକାନ୍ତ ଶତପଥୀଙ୍କ ସମେତ ଡା. ଦତ୍ତେଶ୍ୱର ହୋତା ଓ ଡା. ବନବିହାରୀ ମିଶ୍ର ମିଳିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ପରିଦର୍ଶନ କରିଛନ୍ତି । ନବରଙ୍ଗପୁର ମେଡିକାଲକୁ ଯାଇ ଭିତ୍ତିଭୂମିର ମଧ୍ୟ ଯାଞ୍ଚ କରିଛନ୍ତି। ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ଅପରେସନ ଥିଏଟେରର ଭିତ୍ତିଭୂମିକୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରିଛନ୍ତି। ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବାୟୁ ଆମ୍ବୁଲାନ୍ସ ସେବା ଯୋଗେ ସ୍ପେସିଆଲିଷ୍ଟ ଡାକ୍ତରମାନେ ଏଠାକୁ ଆସି ଗୁରୁତର ରୋଗୀଙ୍କ ଚିକିତ୍ସା କରିବେ। ଏହାକୁ ନେଇ ଆଜି ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏସସିବି ମେଡିକାଲ କଲେଜର ଡାକ୍ତରୀ ଦଳ ଆସି ତଦାରଖ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଗାମୀ ଦିନରେ ସରକାର ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ଓ ମେଡିକାଲର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାର ଉନ୍ନତି ହେବା ନେଇ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।