ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୁଝାଇବା ପରେ ଅନଶନ ପ୍ରତ୍ୟାହୃତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ପରିସର ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀଙ୍କ ନେତୃତ୍ୱରେ ସରପଂଚ ଓ ସମିତିସଭ୍ୟମାନେ ବ୍ଲକର ବିଭିନ୍ନ ସମସ୍ୟା ନେଇ ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୂରିଆଙ୍କ ବିରୋଧରେ ଦୀର୍ଘଦିନ ଧରି ଅନଶନ ଜାରି ରଖିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲୋକେସ ପ୍ରଧାନ ଆସି ବୁଝାସୁଝା କରିବା ପରେ ଅନଶନ ପ୍ରତ୍ୟାହୃତ ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ବିଡିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅନଶନ ଚାଲିଥିବାବେଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ୨ଥର ଘଟଣାସ୍ଥଳକୁ ଆସି ବୁଝାଇବାରେ ବିଫଳ ହୋଇଥିଲେ। ଆଜି ପୁନର୍ବାର ଜିଲ୍ଲା ପ୍ରଶାସନ ବ୍ଲକ କାର୍ଯ୍ୟାଳୟରେ ପହଂଚି ବିଡିଓ, ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ବସାଇ ବୈଠକ କରିଥିଲେ। ସର୍ବପ୍ରଥମେ ତାବଡ଼ା ସରପଂଚ ପାଞ୍ଜିଆ ଭୋଇ ବ୍ଲକର ବିଭିନ୍ନ ସମସ୍ୟା ଓ ବିଡିଓଙ୍କ ମନମୁଖୀ କାର୍ଯ୍ୟ ଉପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପରେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ମିଳିମିଶି କାର୍ଯ୍ୟ କରିବା ପାଇଁ ବିଡିଓ ନିର୍ଭରଯୋଗ୍ୟ ପ୍ରତିଶୃତି ଦେବା ପରେ ସରପଂଚ ଓ ସମିତିସଭ୍ୟମାନେ ରାଜି ହୋଇଥିଲେ। ଏଥିସହିତ ସମସ୍ତଙ୍କୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନଶନରୁ ଉଠାଇଥିଲେ ।