ଆହତ ଅବସ୍ଥାରେ ବିରାଟ ପେଚା ଉଦ୍ଧାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବନାଞ୍ଚଳ ତିଳେଇବଣି ସେକ୍ସନ ଅନ୍ତର୍ଗତ କୁରଡ଼ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରୁ ଆହତ ଅବସ୍ଥାରେ ଏକ ବିରାଟକାୟ ପେଚାକୁ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ କର୍ମଚାରୀ ଭୋଲେଶ୍ୱର ସାହୁ ଉକ୍ତ ସ୍ଥାନରେ ପହଞ୍ଚି ଗୁରୁତର ପେଚାକୁ ଉଦ୍ଧାର କରି ଦେବଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ପ୍ରାଣୀଧନ ବିଭାଗ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇବା ସହ ଆହତ ପେଚା ସୁସ୍ଥ ହେବା ପରେ ସନ୍ଧ୍ୟାରେ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି ।