ଯୁବକଙ୍କ ମୃତଦେହ ଉଦ୍ଧାର

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଜାଲେଶପଟାରେ ନିର୍ମିତ ହେଉଥିବା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରେଗଡ଼ା ଗ୍ରାମର ଟୁନୁ ଭୋଇ (୨୮) । ମିଳିଥିବା ରିପୋର୍ଟ ମୁତାବକ, ଗତ କିଛିଦିନ ତଳେ ଶ୍ରମିକ ଦଲାଲ ଖୀରସିନ୍ଧୁ ଭୋଇଙ୍କ ନେତୃତ୍ୱରେ ଟୁନୁ ଆଦର୍ଶ ବିଦ୍ୟାଳୟରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ଆଜି ତାଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ତୁମୁଡ଼ିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଉକ୍ତ କାର୍ଯ୍ୟର ଠିକାଦାର ଏବଂ କାର୍ଯ୍ୟରତ ଶ୍ରମିକଙ୍କୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଦାବି ହେଉଛି ।