ଇଣ୍ଡୋନେସିଆ ଓପନ୍: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ ଓ ପ୍ରଣୀତ

ବାଲି,ଏଜେନ୍ସି: ଭାରତର ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସର ଏକ ସଂଘର୍ଷପୂର୍ଣ୍ଣ ତିନି ଗେମ୍ ବିଶିଷ୍ଟ ମ୍ୟାଚ୍‌ରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବୁଧବାର ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ସେହିପରି ବି ସାଇ ପ୍ରଣୀତ ଓ କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତି ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ପ୍ରଥମ ଗେମ୍ ହରାଇବା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଏକ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ରେ ଜାପାନର ଅୟା ଓହୋରିଙ୍କୁ ୧୭-୨୧, ୨୧-୧୭, ୨୧-୧୭ରେ ହରାଇ ପ୍ରିକ୍ୱାଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ବିଜୟ ଫଳରେ ଜାପାନୀ ଖେଳାଳିଙ୍କ ବିପକ୍ଷରେ ସିନ୍ଧୁ ନିଜର ପ୍ରଭାବଶାଳୀ ରେକର୍ଡକୁ ୧୧-୦ରେ ପହଞ୍ଚାଇଛନ୍ତି। ଗତ ସପ୍ତାହରେ ଏଠାରେ ଜାପାନର ଅକାନେ ୟାମାଗୁଚିଙ୍କଠାରୁ ସିଧା ଗେମ୍‌ରେ ହାରି ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିବା ସିନ୍ଧୁ ପରବର୍ତ୍ତୀ ମ୍ୟାଚ୍‌ରେ ୨୩ ବର୍ଷୀୟା ଜର୍ମାନ୍ ଶଟଲର୍ ୟଭୋନ୍ ଲି’ଙ୍କୁ ଭେଟିବେ। ଏହା ୩ୟ ସିଡ୍ ଭାରତୀୟ ଖେଳାଳି ଓ ବିଶ୍ୱର ୨୬ ନମ୍ବର ଲି’ଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହେବ।

ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ୧୬ ନମ୍ବର ଖେଳାଳି ବି ସାଇ ପ୍ରଣୀତ ଫ୍ରାନ୍ସର ଟୋମା ଜୁନିୟର୍ ପୋପୋଭ୍‌ଙ୍କ ବିପକ୍ଷରେ ୨୧-୧୯, ୨୧-୧୮ରେ ବିଜୟୀ ହୋଇଛନ୍ତି। ଅନ୍ୟ ଏକ ମ୍ୟାଚ୍‌ରେ ଗତ ସପ୍ତାହର ଇଣ୍ଡୋନେସିଆ ଓପନ୍ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ପ୍ରଦର୍ଶନର ପୁନାରୁବୃତ୍ତି ଘଟାଇ ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ହରାଇ ଦେଇଛନ୍ତି। ନିକଟରେ ହାଇଲୋ ଓପନ୍ ଓ ଇଣ୍ଡୋନେସିଆ ମାଷ୍ଟର୍ସ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ପୂର୍ବତନ ବିଶ୍ୱ ନମ୍ବର ଏକ ଶ୍ରୀକାନ୍ତ ତାଙ୍କର ଉନ୍ନତ ପ୍ରଦର୍ଶନକୁ ଜାରି ରଖି ୫୬ ମିନିଟ୍ ମଧ୍ୟରେ ୨୧-୧୫, ୧୯-୨୧, ୨୧-୧୨ରେ ପ୍ରଣୟଙ୍କୁ ହରାଇ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରଣୀତ ଫ୍ରାନ୍ସର କ୍ରିଷ୍ଟୋ ପୋପାଭ୍‌ଙ୍କୁ ଭେଟିବାର ଥିବାବେଳେ ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଦ୍ୱିତୀୟ ସିଡ୍ ଡେନ୍‌ମାର୍କର ଭିକ୍ଟୋର ଆକ୍ସେଲ୍‌ସେନ୍ ଓ ଜାପାନର କୋକି ୱାଟାନ୍‌ବେଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚର ବିଜେତାଙ୍କୁ ଦ୍ୱିତୀୟ ରାଉଣ୍ଡ୍‌ରେ ଭେଟିବେ।

ଇତି ମଧ୍ୟରେ ଏନ୍ ସିକ୍କିରେଡ୍ଡୀ ଓ ଧ୍ରୁବ କପିଳାଙ୍କୁ ମିକ୍ସଡ୍ ଡବଲ୍ସ ଯୋଡ଼ି କ୍ୟୋହେଇ ୟାମାଶିତା ଓ ନାରୁ ଶିନୋୟାଙ୍କ ଜାପାନୀ ଯୋଡ଼ି ଠାରୁ ୭-୨୧, ୧୨-୨୧ରେ ପରାଜିତ ହୋଇ ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛନ୍ତି। ସେହିପରି ସିକ୍କି ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଭାରତୀୟ ଯୋଡ଼ି ମହିଳା ଡବଲ୍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ୫ମ ସିଡ୍ ଗାବ୍ରିଏଲା ଷ୍ଟୋଏଭା ଓ ଷ୍ଟେଫାନି ଷ୍ଟୋଏଭାଙ୍କ ବୁୂଲ୍‌ଗାରିଆ ଯୋଡ଼ିଠାରୁ ୨୭-୨୯, ୧୮-୨୧ରେ ପରାସ୍ତ ହୋଇଛନ୍ତି।