କିଛି ନିବେଶକଙ୍କୁ ମିଳିପାରେ କ୍ରିପ୍ଟୋ ଟ୍ରେଡିଂ ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: କ୍ରିପ୍ଟୋକରେନ୍ସିକୁ ନେଇ ଦେଶରେ ଚର୍ଚ୍ଚା ଜୋର୍ ଧରିଛି। ସରକାର ଏ ନେଇ ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ବିଲ୍ ଆଗତ କରିପାରନ୍ତି। ସରକାର କ୍ରିପ୍ଟୋକରେନ୍ସିକୁ ବିତ୍ତୀୟ ସମ୍ପତ୍ତିର ମାନ୍ୟତା ଦେଇପାରନ୍ତି ବୋଲି ସୂଚନା ମିଳୁଛି। ଫଳରେ କ୍ଷୁଦ୍ର ନିବେଶକଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରେ। କ୍ରିପ୍ଟୋକରେନ୍ସି ବିଲ୍‌କୁ ଅନ୍ତିମ ରୂପ ଦିଆଯାଉଛି। ଏହି ବିଧେୟକ ଡିଜିଟାଲ୍ କରେନ୍ସିରେ ନ୍ୟୂନତମ ନିବେଶକର ବ୍ୟାଖ୍ୟା କରିପାରେ। ଏହାସହିତ ଆଇନଗତ ମୁଦ୍ରା ଭାବେ ଏହାର ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ବିଚାର କରାଯାଉଛି। ଅର୍ଥାତ୍ ସରକାର ଡିଜିଟାଲ୍ କରେନ୍ସିର ନିବେଶ ବଦଳରେ ସାମଗ୍ରୀ କିମ୍ବା ସେବାର ଉପଯୋଗ କରିପାରିବ ନାହିଁ। ଯଦିଓ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ।

ଏହାବ୍ୟତୀତ ସମସ୍ତ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସି ଉପରେ ନିଷେଧାଦେଶ ଜାରି ରହିବ। ଏହି ଖବର ଆସିଲା ପରେ କ୍ରିପ୍ଟୋ ବଜାରରେ କ୍ରାସ୍ ଘଟିଛି। ନିବେଶକମାନେ କ୍ରିପ୍ଟୋସିରିଜ୍ ବିକ୍ରି କରିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ନିଜର କ୍ରିପ୍ଟୋକରେନ୍ସି ଆଣିବା ନେଇ ଯୋଜନା ଜାରି ରଖିଛି। ଅପରପକ୍ଷରେ ଆର୍‌ବିଆଇ ଦେଶରେ ଡିଜିଟାଲ୍ କରେନ୍ସି ଉପରେ ନିଷେଧାଦେଶ ଜାରି କରିବାକୁ ପରାମର୍ଶ ଦେଇଛି।