ବଜ୍ର ପ୍ରହାର: ଶେଷ ହେଲା ଭାରତ ଓ ଆମେରିକା ମିଳିତ ସମରାଭ୍ୟାସ

ଶିମଲା,ଏଜେନ୍ସି: ଭାରତ-ଆମେରିକା ସ୍ପେସାଲ ଫୋର୍ସ ମିଳିତ ସମରାଭ୍ୟାସ ବଜ୍ର ପ୍ରହାର ‘ବଜ୍ର ପ୍ରହାର’ର ୧୩ ତମ ସଂସ୍କରଣ ହିମାଚଳ ପ୍ରଦେଶର ବାକଲୋ ଶେଷ ହୋଇଛି । ଏହି ବାର୍ଷିକ ମିଳିତ ସମରାଭ୍ୟାସ ଶୃଙ୍ଖଳା ଚଳିତ ଥର ୧୩ ତମ ସଂସ୍କରଣରେ ପହଞ୍ଚିଛି । ଗତ ସଂସ୍କରଣ ୨୦୨୧ ଅକ୍ଟୋବରରେ ଆମେରିକାର ଓ୍ବାଶିଂଟନରେ ଅନୁଷ୍ଠିତ ହୋଇଥିଲା । ଭାରତ ଓ ଆମେରିକା ସେନା ପରସ୍ପର ମଧ୍ୟରେ ଯୁଦ୍ଧ କୌଶଳ ବିନିୟମ ଓ ସଠିକ ସମନ୍ବୟ ରକ୍ଷା କରି ଅପରେସନକୁ ସଫଳ କରିବା ଏହି ଅଭ୍ୟାସର ପ୍ରାଥମିକ ଓ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଚଳିତ ବର୍ଷ ଏହି ମିଳିତ ସମରାଭ୍ୟାସ ୨୧ ଦିନ ଧରି ଚାଲିଥିଲା । ଅଭ୍ୟାସରେ ଉଭୟ ଦେଶର ସ୍ପେସାଲ ଫୋର୍ସକୁ ବର୍ତ୍ତମାନ ବିଶ୍ବରେ ଦେଖାଯାଉଥିବା ଏକାଧିକ ଆହ୍ବାନପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିବାର ଯୁଦ୍ଧକୌଶଳ ପ୍ରଦର୍ଶନ କରିବାର ଅବସର ମିଳିଛି । ଏୟାର ବୋର୍ଣ୍ଣ ଅପରେସନ, ଆତଙ୍କବାଦୀ ନିରୋଧୀ ଅପରେସନରେ ପ୍ରଭାବୀ ଅଂଶଗ୍ରହଣ ଓ ଫଳପ୍ରଦ ମୁକାବିଲା ନେଇ ରଣନୀତି ପ୍ରଦର୍ଶନ କରିଛନ୍ତି ଦୁଇ ଅଂଶଗ୍ରହଣକାରୀ ଦେଶ ।

ଏହି ଅଭ୍ୟାସ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏହି ଅଭ୍ୟାସରେ ଟ୍ରେନିଂ, ପ୍ଲାନିଂ, କାର୍ଯ୍ୟକାରୀତା ତଥା ମିଳିତ ଯୁଦ୍ଧକୌଶଳ ପ୍ରଦର୍ଶନ କରିବା ଉପରେ ଉଭୟ ସେନା ଗୁରୁତ୍ବ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ଅଭ୍ୟାସ ଶୃଙ୍ଖଳା ଚଳିତ ବର୍ଷ ୧୩ ତମ ବର୍ଷରେ ପହଞ୍ଚିଛି ।