ନଦୀକୁ ଟ୍ରାକ୍ଟର ଖସିପଡିବା ଘଟଣା, ୮ କୃଷକଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ନୌ,ଏଜେନ୍ସି: ଗତକାଲି (ଶନିବାର) ଉତ୍ତର ପ୍ରଦେଶର ହାର୍ଦୋଇ ଜିଲ୍ଲା ପାଲି ପୋଲିସ ଷ୍ଟେସନ ଅଞ୍ଚଳରେ କୃଷକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ନଦୀରେ ଖସିପଡିବା ଘଟଣାରେ ୮ ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଅନ୍ୟ ୧୪ ଜଣ ଚାଷୀଙ୍କୁ ଗତକାଲି ନଦୀରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଟିମ । ଗତକାଲି ରାତିରୁ ଆରମ୍ଭ ହୋଇଥିବା ରେସକ୍ୟୁ ଅପରେସନ ସମସ୍ତ ନିଖୋଜ ମୃତଦେହ ଉଦ୍ଧାର ହେବା ପରେ ଆଜି ଅପରାହ୍ନରେ ଶେଷ ହୋଇଛି ।

ମୃତକ ୮ ଜଣଙ୍କ ମଧ୍ୟରୁ ୬ ଜଣ ବେଗଜପୁର ପୋଲିସ ଷ୍ଟେସନ ଅଧୀନ ପାଲିର ବାସିନ୍ଦା ହୋଇଥିବା ବେଳେ ଜଣେ ଦରିଆଗଞ୍ଜର ବାସିନ୍ଦା ବୋଲି ଚିହ୍ନଟ ହୋଇଛନ୍ତି । ଆଉ ଜଣେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସର ଉପସ୍ଥିତିରେ ସମସ୍ତ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହା ସହିତ ରାଜ୍ୟ ସରକାର ମୃତକଙ୍କ ପାଇଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯିବ ।