ଦେବଗଡ଼ରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଜିଲ୍ଲା ବିକାଶରେ ବାଧକ ସାଜୁଥିବା ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ନ ପଡିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ୭୫ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦିବସର ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଶୁଂ ମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କରୋନା ଗାଇଡଲାଇନ ଅନୁଯାୟୀ ନିରାଡମ୍ବର ଭାବେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ସମସ୍ତ ଜିଲ୍ଲାବାସୀ ପ୍ରଶାସନକୁ ସହଯୋଗର ହାତ ବଢାଇଛନ୍ତି। ଏଥିସହ ଦେବଗଡ଼ ଜିଲ୍ଲାକୁ ୧ନଂ ଜିଲ୍ଲା କରି ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଦେବଗଡ ଜିଲ୍ଲାର ବିକାଶ ହେବା ସହ ଖୁବଶୀଘ୍ର ପ୍ରତ୍ୟେକ ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବା ସହ ଜିଲ୍ଲା ଅଦିବାସୀଙ୍କ ଜୀବନ ଜୀବିକା ପାଇଁ ସହରାଞ୍ଚଳ ଉନ୍ନୟନ ଯୋଜନାରୁ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା, ରାସ୍ତା ଓ ଜଳାଶୟର ବିକାଶ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଥିଲେ। ସେହିପରି ଜିଲ୍ଲାରୁ କୁପୋଷଣକୁ ସମ୍ପୂର୍ଣ୍ଣ ଦୂର କରାଯାଇପାରିଥିବା ବେଳେ ବାଲ୍ୟବିବାହକୁ ମଧ୍ୟ ରୋକାଯାଇପାରିଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଦେବଗଡ଼ ଜିଲ୍ଲା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀ ବିକାଶ ପାଇଁ ୫ଟି ଅନ୍ତର୍ଗତ ବିଦ୍ୟାଳୟ ଗୁଡିକର ଆଧୁନିକି କରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ଜିଲ୍ଲା ବିକାଶରେ ବାଧକ ସାଜୁଥିବା କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ କୁପ୍ରରୋଚନାରେ ନପଡିବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ।

ସରଜେଣ୍ଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡିଙ୍କ ନେତୃତ୍ୱରେ ୪ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୪ର୍ଥ ଆଇଆରବିର ପୁଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସାଲାମୀ ଦେଇଥିଲା। ପୁଲିସ ବ୍ୟାଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ମଞ୍ଚରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ପାଇକରାୟ ଉପସ୍ଥିତ ରହି ଜାତୀୟ ପତାକାକୁ ସଲାମୀ ଦେଇଥିଲେ। ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ପାଳନ ଅବସରରେ କରୋନା କଟକଣା ଯୋଗୁଁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିନାହାନ୍ତି। ସେହିପରି ପଡିଆରେ ଜନସାଧାରଣଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିନଥିଲା। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ପଡିଆରେ ଉପସ୍ଥିତ ଥିଲେ।