ଭାରତର ଇଲେକ୍ଟ୍ରିକ୍ କାର୍ ଟେସ୍‌ଲାକୁ ଟପିବ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍‌ଲା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଆସିବାକୁ ଯୋଜନା ସ୍ଥଗିତ ରଖିଛି । ଟେସ୍‌ଲା ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ଏବଂ ଏହାର ସିଇଓ ଏଲୋନ୍ ମସ୍କ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧନୀ । ମସ୍କ ଚାହୁଁଥିଲେ ଯେ ଟେସ୍‌ଲାକୁ ଭାରତରେ କାର ବିକ୍ରୟ କରିବାକୁ ଅନୁମତି ଦିଆଯାଉ ଏବଂ ବିଦେଶରୁ ଆମଦାନୀ ହୋଇଥିବା କାର ଉପରେ କୌଣସି ଟିକସ ଲାଗୁ କରାନଯାଉ । କିନ୍ତୁ ଭାରତ ସରକାର ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଭାରତରେ ମଧ୍ୟ ବହୁ ପରିମାଣରେ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରାଯାଉଛି, ଯାହା ଟେସ୍‌ଲାକୁ ଧୂଳି ଚଟାଇବ । ସୋଡ଼ିୟମ୍ ଆୟନ ବ୍ୟାଟେରୀ ତିଆରି କରୁଥିବା ବ୍ରିଟିଶ୍ କମ୍ପାନୀ ଫାରାଡିଅନ୍‌ଦ୍ୱାରା ଏହା ଟ୍ୱିଟ୍ କରାଯାଇଛି । ମହିନ୍ଦ୍ରା ଏବଂ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ତାହାକୁ ରିଟ୍ୱିଟ କରି ଲେଖିଛନ୍ତି, ‘ତୁମ ପାଟିରେ ଘି ଚିନି ।’

ଟାଟା ଏବଂ ମହିନ୍ଦ୍ରା ସମେତ ଅନେକ କମ୍ପାନୀ ଭାରତରେ ବୈଦ୍ୟୁତିକ କାର ତିଆରି କରୁଛନ୍ତି । ଇଲେକ୍ଟ୍ରିକ୍ କାର୍ ପାଇଁ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ବଡ଼ ଯୋଜନା ଅଛି । ୨୦୨୭ ଆର୍ôଥକ ବର୍ଷ ସୁଦ୍ଧା କମ୍ପାନୀ ଦୁଇ ଲକ୍ଷ ବୈଦ୍ୟୁତିକ କାର ବିକ୍ରୟ କରିବାକୁ ଯୋଜନା କରିଛି । ଇଭି ବ୍ୟବସାୟରେ କମ୍ପାନୀ ୧ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରୁଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହା ପାଞ୍ଚଟି ବୈଦ୍ୟୁତିକ ଯାନ ଲଞ୍ଚ କରିବାକୁ ଯୋଜନା କରିଛି । କମ୍ପାନୀ କହିଛି ଯେ ୨୦୨୭ରୁ ଇଲେକ୍ଟ୍ରିକ୍ କାର୍ ଏହାର ମୋଟ ବିକ୍ରିର ୨୦ରୁ ୩୦ ପ୍ରତିଶତ ହେବ ।

ମସ୍କ ନିକଟରେ ଟୁଇଟ୍ କରି କହିଛନ୍ତି ଯେ ଟେସ୍‌ଲା କୌଣସି ସ୍ଥାନରେ ଉତ୍ପାଦନ କାରଖାନା ସ୍ଥାପନ କରିବ ନାହିଁ । ଚୀନ୍‌ରୁ କାର ଆମଦାନୀ କରିବା ପାଇଁ ଭାରତ ସରକାର ଟେସ୍‌ଲାକୁ ଲାଇସେନ୍ସ ଦିଅନ୍ତୁ ଏବଂ ଏହି କାରଗୁଡିକ ଉପରେ କୌଣସି ଆମଦାନୀ ଶୁଳ୍କ ଲାଗୁ କରାନଯାଉ । କିନ୍ତୁ ଭାରତ ସରକାର ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଭାରତରେ ଏକ ନୂତନ ପିଢ଼ିର ଇଲେକ୍ଟ୍ରିକ୍ କାର୍ ମଧ୍ୟ ବିକଶିତ ହେଉଛି । ଏହି ଯାନଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଟେସ୍‌ଲାକୁ ଟପି ଯାଇପାରିବେ । ଏହାର କାରଣ ହେଉଛି ଆଧୁନିକ ଟେକ୍ନୋଲୋଜି ଉପରେ ଆଧାର କରି ଭାରତରେ ବୈଦ୍ୟୁତିକ କାର ତିଆରି କରାଯାଉଥିବାବେଳେ ଟେସ୍‌ଲାର ଟେକ୍ନୋଲୋଜି ଏକ ଦଶନ୍ଧି ପୁରୁଣା ।

ଟେସ୍‌ଲା ଅପେକ୍ଷା ଟାଟା ମୋଟର୍ସର କନ୍‌ସେପ୍ଟ କାର ଅଭିନିଆର ଟେକ୍ନୋଲୋଜି ଅଧିକ ଉନ୍ନତ । ସେହିଭଳି ମହିନ୍ଦ୍ରାର ଇଲେକ୍ଟ୍ରିକ୍ କାର ଟେସ୍‌ଲା ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ଏବଂ ଏହାର ମୂଲ୍ୟ ଟେସ୍‌ଲା କାରର ଅଧା ରହିଛି । ବ୍ୟାଟେରୀ ଉତ୍ପାଦନ କ୍ଷେତ୍ରରେ ଭାରତରେ ମଧ୍ୟ ଅଗ୍ରଗତି ହୋଇଛି ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧୦୦ ମିଲିୟନ୍ ପାଉଣ୍ଡରେ ବ୍ରିଟେନର କମ୍ପାନୀ ଫାରାଡିଅନ୍ କିଣିଛି । ସୋଡିୟମ୍ ଆୟନ ବ୍ୟାଟେରୀର ଏହା ବିଶ୍ୱର ଅଗ୍ରଣୀ ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ ।