ମଜଭୁତ୍ ଅଛି ଭାରତୀୟ ଆର୍ଥିକ ବ୍ୟବସ୍ଥା, ଆଗାମୀ ଶତାବ୍ଦୀରେ ନେତୃତ୍ୱ ନେବ ଭାରତ: ସର୍ଭେ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ଭାରତୀୟ ଆର୍ଥିକ ବ୍ୟବସ୍ଥାର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଭାରତ ଯଦି ଏହି ସମସ୍ୟାରୁ ମୁକୁଳି ଯାଏ, ତେବେ ଆଗାମୀ ଶତାବ୍ଦୀ ଭାରତର ନାମରେ ରହିବ । ବୈଶ୍ୱିକ ତଥା ଘରୋଇ ପରିସ୍ଥିତି ଭାରତୀୟ ଅର୍ଥ ବ୍ୟବସ୍ଥା ସପକ୍ଷରେ ରହିଛି । ଚଳିତ ଆର୍ଥିକ ବର୍ଷରେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିର ବର୍ଷ ହେବ ବୋଲି ଡେଲୋଟ୍ ସିଇଓ ପୁନିତ ରଞ୍ଜନ କହିଛନ୍ତି । କରୋନା ସଂକ୍ରମଣ ରୋକିବା ଦିଗରେ ଭରପୁର୍ ପ୍ରୟାସ କରିବା ଜରୁରୀ । କରୋନା ହିଁ ଅଭିବୃଦ୍ଧି ରାସ୍ତାରେ କଣ୍ଟା ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୮ରୁ ୯% ହାରରେ ଅଭିବୃଦ୍ଧି ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡେଲୋଟ୍ ସିଇଓ କହିଛନ୍ତି ଯେ ଭାରତକୁ ବୈଶ୍ୱିକ ନିବେଶ ହାସଲ କରିବା ଦିଗରେ ସର୍ବଦା ଆକର୍ଷକ ସ୍ଥାନ ଭାବେ ପରିଚିତ ହେବା ଉଚିତ୍ । କରୋନା ଲଢ଼େଇରୁ ସଫଳତା ହିଁ ଭାରତକୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ନେତୃତ୍ୱ ନେବାକୁ ସୁଯୋଗ ଦେବ । ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ୬-୭ ଲକ୍ଷ ଡଲାର୍ ବିଶିଷ୍ଟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ସହିତ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥ ବ୍ୟବସ୍ଥାରେ ରୁପାନ୍ତରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୨୨-୨୩ରେ ଭାରତୀୟ ଅର୍ଥ ବ୍ୟବସ୍ଥା ୭.୬% ହାରରେ ଅଭିବୃଦ୍ଧି ହାସଲ କରିପାରେ ବୋଲି ଡେଲୋଟ୍ ସର୍ଭେରୁ ଜଣାପଡ଼ିଛି ।