ରାଜ୍ୟ ଗୋଷ୍ଠୀ କ୍ରୀଡ଼ା: ବର୍ମିଂହାମ ପହଞ୍ଚିଲେ ଭାରତୀୟ ଟିମ୍‌, ପାକିସ୍ତାନକୁ କରିବ ମୁକାବିଲା

ବର୍ମିଂହାମ,ଏଜେନ୍ସି: ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡର ବର୍ମିଂହାମରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆ ରବିବାର ବିଳମ୍ବିତ ରାତିରେ ବାହାରିଥିଲା ଓ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛି । ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । କ୍ରିକେଟ ଟିମ୍ ସହିତ ଏଥଲେଟିକ, ସ୍କ୍ୱାସ, ଟେବୁଲ ଟେନିସ ଟିମ୍ ମଧ୍ୟ ବର୍ମିଂହାମ ପହଞ୍ଚି ସାରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୨୪ ବର୍ଷ ପରେ କ୍ରିକେଟକୁ ସାମିଲ କରାଗଲା । ୧୯୯୮ରେ ମଧ୍ୟ ରାଜ୍ୟ ଗୋଷ୍ଠୀ କ୍ରିଡ଼ାରେ କ୍ରିକେଟ ସାମିଲ ହୋଇଥିଲା । କିନ୍ତୁ ଚଳିତ ଥର କେବଳ ମହିଳା କ୍ରିକେଟକୁ ସୁଯୋଗ ମିଳିଛି, ଯାହାକି ପ୍ରଥମ ଥର । ସୂଚନାଯୋଗ୍ୟ, ଚଳିତ ଜୁଲାଇ ୨୮ ତାରିଖର ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ । ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଚଳିତ ଥର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୭୨ଟି ଦେଶରୁ ୪୫୦୦ ଏଥଲିଟ ଅଂଶଗ୍ରହଣ କରୁଛନ୍ତି ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ ଗେମ୍ସ ଜୁଲାଇ ୨୯ରେ ଆରମ୍ଭ ହେବ । ଏହି ମ୍ୟାଚ ବର୍ମିଂହାମର ଆଜବେଷ୍ଟନରେ ଖେଳାଯିବ । କ୍ରିକେଟ ପାଇଁ ସୁନା ଓ କାଂସ୍ୟ ପଦକ ପାଇଁ ଅଗଷ୍ଟ ୭ରେ ମୁକାବିଲା ହେବ ।

କ୍ରିକେଟରେ ୨ଟି ଗ୍ରୁପରେ ୮ଟି ଟିମ ଖେଳିବେ । ‘ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ବାରବାଡୋସ ଥିଲା ବେଳେ ‘ଗ୍ରୁପ-ବି’ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କାକୁ ସାମିଲ କରାଯାଇଛି ।

ଭାରତୀୟ ଟିମ୍‌ରେ ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଶେଫାଳୀ ବର୍ମା, ଏସ୍ ମେଘନା, ତାନିୟା ଭାଟିଆ (ୱିକେଟକିପର), ୟାସ୍ତିକା ଭାଟିଆ (ୱିକେଟକିପର), ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାୟକୱାଡ, ପୂଜା ବସ୍ତ୍ରାକର, ମେଘନା ସିଂହ, ରେଣୁକା ସିଂହ, ଜେମିମାହ ରୋଡ୍ରିଗସ, ରାଧା ଯାଦବ, ହରଲୀନ ଦେଓଲ ଓ ସ୍ନେହ ରାଣା ।