ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ୱାରା ବାରମ୍ବାର ସମନ ପରେ ଆଜି ଶେଷରେ ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ଆଜି ହାଜର ହୋଇଛନ୍ତି । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାନଯିବା, କ୍ଷତିପୂରଣ ନମିଳିବା ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ବାରମ୍ବାର ନୋଟିସ୍ ଦେବାସତ୍ତ୍ୱେ ଜିଲ୍ଲାପାଳ ଶ୍ରୀ ଠାକରେ କମିଶନଙ୍କ ନିକଟରେ ହାଜର ହେଉନଥିଲେ କିମ୍ବା ତାଙ୍କର ନିର୍ଦ୍ଦେଶ ମାନୁନଥିଲେ । ଯେଉଁଥିପାଇଁ କମିଶନ ତାଙ୍କ ବିରୋଧରେ ଗିରଫ ପରୱାନା ଜାରିକରି ଜିଲ୍ଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର, ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ହାଜର ହୋଇପାରିନଥିଲେ । ଏହାପରେ ଜିଲ୍ଲାପାଳ ଆଶିଷ ଠାକରେ ବ୍ୟକ୍ତିଗତ ହାଜର ହେବାନେଇ କମିଶନ ପୁଣି ସମନ୍ କରିଥିଲେ । କମିଶନଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଠାକରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ଏଣୁ ଆଜି ସେ ନୂଆଦିଲ୍ଲୀ ଯାଇ କମିଶନ ସଦସ୍ୟ ଅନନ୍ତ ନାୟକଙ୍କ କୋର୍ଟରେ ହାଜର ହୋଇଥିଲେ । କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଜି ଶୁଣାଣି ପ୍ରାୟ ଘଣ୍ଟାଏ କାଳ ଚାଲିଥିଲା । ଜୁନ୍ ୨୮ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ସେଦିନ ମଧ୍ୟ ଜିଲ୍ଲାପାଳଙ୍କୁ ହାଜର ହେବାକୁ କୁହାଯାଇଛି ।