ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କେଏଲ ରାହୁଲ କ୍ୟାପଟେନ

ହାଇଦ୍ରାବାଦ,ଏଜେନ୍ସି: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଲୋକପ୍ରିୟତା ହାସଲ କରିଥିବା ଜମ୍ମୁ ଓ କଶ୍ମୀରର ଦ୍ରୁତ ବୋଲର ଉମରାନ୍‌ ମଲ୍ଲିକ ଓ ପଞ୍ଜାବ କିଙ୍ଗସର ଅର୍ସଦୀପ ସିଂଙ୍କୁ ୧୮ ଜଣିଆ ଭାରତୀୟ ଟି-୨୦ ଦଳରେ ସ୍ଥାନ ମିଳିଛି। ଉମରାନ୍‌ ନିୟମିତଭାବେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବଲ୍‌ ପକାଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜଣେ ଉଦୀୟମାନ ଷ୍ଟାରର ମାନ୍ୟତା ପାଇଛନ୍ତି। ସେହିପରି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଜଣେ ଭରସାଯୋଗ୍ୟ ଫନିସରର ମାନ୍ୟତା ପାଇଥିବା ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। କେଏଲ ରାହୁଲ ଭାରତୀୟ ଟି୨୦ ଦଳର ନେତୃତ୍ବ କରିବେ। ସେହିପରି ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି।

ଭାରତୀୟ ଟି୨୦ ସ୍କ୍ବାଡ୍‌: କେଏଲ ରାହୁଲ(କ୍ୟାପଟେନ୍‌), ଋତୁରାଜ ଗାଏକ୍ବାଡ, ଇଶାନ କିଶନ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଋଷଭ ପନ୍ତ(ଭାଇସ କ୍ୟାପଟେନ୍‌/ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେସ୍ ଆୟର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂ, ଉରମାନ ମଲିକ।