ଫିଙ୍ଗରପ୍ରିଣ୍ଟ୍ ଜରିଆରେ ଡାକରୁ ଉଠାଇହେବ ଟଙ୍କା

ନୂଆଦିଲ୍ଲୀ: ୨୦୧୮ ମସିହା ସେପ୍ଟେମ୍ବର ୧ରେ ଇଣ୍ଡିଆନ୍ ପୋଷ୍ଟ୍ ପେମେଣ୍ଟ୍ ବ୍ୟାଙ୍କ (ଆଇପିପିବି) ଶୁଭାରମ୍ଭ ହୋଇଥିବାବେଳେ ଏହାର ମାତ୍ର ବର୍ଷେ ମଧ୍ୟରେ ଆଇପିପିବି ୧ କୋଟି ଗ୍ରାହକଙ୍କୁ ସାମିଲ କରିପାରିଛି। ଏହି ଲକ୍ଷ୍ୟ ହାସଲ କରିବା ପରେ ଆଇପିପିବି ଆଧାର କାର୍ଡ ଆଧାରିତ ସମସ୍ତ ସେବା ପ୍ରଦାନ କରିବା ଲାଗି ଘୋଷଣା କରିଛି।

ଏହା ଅନ୍ତର୍ଗତ ବର୍ତ୍ତମାନ କୌଣସି ବି ବ୍ୟାଙ୍କର ଗ୍ରାହକ ଆପିପିବି ଜରିଆରେ ଟଙ୍କା ଉଠାଇପାରିବେ। ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଧାର କାର୍ଡ ଆଧାରିତ ସେବାଗୁଡ଼ିକୁ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି।

ଆଇପିପିବିର ଏକବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ ସମାରୋହରେ ଶ୍ରୀ ପ୍ରସାଦ ଯୋଗଦେଇଥିଲେ। ଆଧାର ଆଧାରିତ ସେବାଗୁଡ଼ିକୁ ଆରମ୍ଭ କରାଯିବା ପରେ ଯେକୌଣସି ବ୍ୟକ୍ତି ନିଜର କୌଣସି ବି ବ୍ୟାଙ୍କର ଟଙ୍କା ଆଇପିପିବିରୁ ଉଠାଇପାରିବେ। ଏଥିସହିତ ବାଲାନ୍ସ ସମ୍ବନ୍ଧିତ ତଥ୍ୟ ମଧ୍ୟ ସେ ଏଠାରୁ ପାଇପାରିବେ। ମାତ୍ର ଏହି ସୁବିଧାର ଫାଇଦା ଉଠାଇବାକୁ ଆଗ୍ରହୀ ଥିବା ଉପଭୋକ୍ତାଙ୍କ ପାଇଁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ନେଇ ସର୍ତ୍ତାବଳୀ ରହିଛି।

ଏହି ସେବାଗୁଡ଼ିକର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କୁ କେବଳ ନିଜର ଫିଙ୍ଗରପ୍ରିଣ୍ଟ୍ ଦ୍ୱାରା ନେଣଦେଣ କରିବାକୁ ଅନୁମତି ଦିଆଯିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଡାକ ବିଭାଗକୁ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଥିବା ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ କରିବା ତଥା ଋଣ ସୁବିଧାରୁ ବଞ୍ଚିତ ଲୋକଙ୍କୁ ଏହି ସୁବିଧା ଦେବା ଏବଂ ବିତ୍ତୀୟ ରୂପେ ଅସୁରକ୍ଷିତ ଥିବା ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରୟାସ କରାଯିବା ଆବଶ୍ୟକ। ଆଇପିପିବି ଦେଶର ସର୍ବବୃହତ୍ ଆନ୍ତ-ପରିଚାଳନା ବ୍ୟାଙ୍କିଙ୍ଗ୍ ନେଟ୍ୱର୍କ ରୂପେ ପରିଗଣିତ ହୋଇଛି।