ପାକିସ୍ତାନ ଥାନାରେ ଆତ୍ମଘାତୀ ବିସ୍ଫୋରଣ ! ୧୨ ପୋଲିସ ମୃତ

ଇସଲାମବାଦ,ଏଜେନ୍ସି: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଗତକାଲି(ସୋମବାର) ରାତିରେ ପାକିସ୍ତାନର ଗୋଟିଏ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି । ସ୍ବାତ୍ ଉପତ୍ୟାକାର କବାଲ ଥାନାରେ ଏହି ବିସ୍ଫୋରଣ ହୋଇଛି । ଉକ୍ତ ଥାନା ପରିସରରେ ଆତଙ୍କବାଦ ନିରୋଧି ବିଭାଗ (CTD) ସହ ଗୋଟିଏ ମସଜିଦ ରହିଥିଲା । ବିସ୍ଫୋରଣରେ କୋଠାଗୁଡିକ ଭୁଶୁଡି ପଡିଛି । ତେବେ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହ ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି ।

ପାକିସ୍ତାନ ପୋଲିସ କହିଛି ଯେ, ଆତ୍ମଘାତୀ ଆକ୍ରମଣ ନେଇ କୌଣସି ପ୍ରମାଣ ମିଳିନାହିଁ । ବିସ୍ଫୋରଣ ହୋଇଥିବା ସ୍ଥାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଗଚ୍ଛିତ ଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବିସ୍ଫୋରଣ ହୋଇଥାଇପାରେ । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ କରାଯାଉଥିବା ପୋଲିସ କହିଛି । CTD ଅଧିକାରୀ ମଧ୍ୟ ଏହି ଘଟଣା ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ମନେ ହେଉନଥିବା କହିଛନ୍ତି ।

ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ଛାନଭିନ୍ କରୁଛନ୍ତି । କୋଠାଗୁଡିକ ଭୁଶୁଡି ପଡିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ଆତଙ୍କବାଦ ନିରୋଧି ବିଭାଗର ଡିଆଇଜି ଜଣାଇଛନ୍ତି । ଏହି ଅଘଟଣ ପରେ ସ୍ବାସ୍ଥ୍ୟ ବିଭାଗ ସ୍ବାତ୍ ହସ୍ପିଟାଲଗୁଡିକରେ ଜରୁରୀ ପରିସ୍ଥିତି ଜାରି କରିଛି । ଅନ୍ୟପଟେ ଜିଲ୍ଲା ପୋଲିସ ଅଧିକାରୀ(DPO) ଶାଫି ଉଲ୍ଲା ଗନ୍ଦାପୁର କବାଲ ଥାନା ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ଦାବି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହାକୁ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି । ଏନେଇ ସରିଫ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।