ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଉ ୧୦ ବର୍ଷ ଓଡ଼ିଶା ପ୍ରାୟୋଜକ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: କ୍ରୀଡାର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଭାରତୀୟ ହକିର ପ୍ରୋତ୍ସାହନ ପାଇଁ ପ୍ରଶଂସା ସାଉଁଟିଥିବା ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଓଡିଶା ସରକାର ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରୟୋଜକ ରହିବେ । ଅର୍ଥାତ୍‍ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଓଡ଼ିଶା ସରକାର ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିଛନ୍ତି । ଏହା ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମସି) ସରକାରଙ୍କ ଅନୁମୋଦନ କ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକତା ଥିଲା । ଏଥି ପାଇଁ ହକି ଇଣ୍ଡିଆ ସହିତ ଚୁକ୍ତି କରିଥିଲା ଓଏମସି । ଚୁକ୍ତିକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷ ଅନୁରୋଧ କରିଥିଲେ । ଏହି କ୍ରମେ ଓଏମସି ରାଜ୍ୟ ସରକାରଙ୍କ ଅନୁମୋଦ ଲୋଡିଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି । ଫଳରେ ଓଏମସି ବର୍ତ୍ତମାନ ଆଉ ୧୦ ବର୍ଷ ଭାରତୀୟ ଜାତୀୟ ହକି ଦଳର ପ୍ରୟୋଜକ ରହିବ । ଅର୍ଥାତ ୨୦୨୩ ଫେବୃଆରୀ ୧ ତାରିଖରୁ ୩୧ ଜାନୁଆରୀ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ଓଡ଼ିଶା ପ୍ରତିଶ୍ରୁତି ଦେଇଛି ।

ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କାର ଟିକସ ରହିତ ଅର୍ଥ ପ୍ରଦାନ କରାଯିବ । ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ହକି ଏକ ଲୋକପ୍ରିୟ କ୍ରୀଡା । ଏହି ନିଷ୍ପତ୍ତି ଦ୍ବାରା କ୍ରୀଡାକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଯାହା ରାଜ୍ୟରେ ପ୍ରତିଭାର ଏକ ମଜଭୁତ ସ୍ତର ସୃଷ୍ଟିରେ ସହାୟକ ହେବ । ଓଡ଼ିଶା ସରକାର ହକିର ପ୍ରମୁଖ ପ୍ରୋତ୍ସାହନ ଦାୟିତ୍ବ ତୁଲାଇ ଆସୁଛନ୍ତି । ହକି ଇଣ୍ଡିଆ ସହ ରାଜ୍ୟର ଭାଗିଦାରୀ ଦେଶର କ୍ରୀଡ଼ାର ପୁନରୁଦ୍ଧାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଟୋକିଓ ଅଲମ୍ପିକରେ ଭାରତୀୟ ପୁରୁଷ ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ମହିଳା ଦଳ ପ୍ରଥମ ଥର ଲାଗି ସେମିଫାଇନାଲକୁ ପ୍ରବେଶ କରିଥିଲା ।