ପିଓକେରେ ଭାରତର ବଡ଼ଧରଣର ଏୟାରଷ୍ଟ୍ରାଇକ୍

ଶ୍ରୀନଗର, ଏଜେନ୍ସି: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଭାରତ ଏୟାରଷ୍ଟ୍ରାଇକ୍ କରିଛି। ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏହି ଏୟାରଷ୍ଟ୍ରାଇକରେ ଏକାଧିକ ଆତଙ୍କୀ ଲଞ୍ଚପ୍ୟାଡ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିସହ ଏହି ଲଞ୍ଚ ପ୍ୟାଡରେ ଭାରତକୁ ଅନୁପ୍ରବେଶ କରିବା ଅପେକ୍ଷାରେ ଥିବା ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ।
ସୂଚନା ଯୋଗ୍ୟ, ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ ପିଓକେରେ ପିନ୍ ପଏଣ୍ଟ ଷ୍ଟ୍ରାଇକ୍ କରିଛି। ଆଗକୁ ଜମ୍ମୁ-କଶ୍ମୀରରେ ଜିଲ୍ଲାସ୍ତରୀୟ ନିର୍ବାଚନ ହେବ। ଗଣତନ୍ତ୍ରର ଏହି ମହାନ ପର୍ବକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀ ଓ ପାକିସ୍ତାନ ପ୍ରୟାସ କରିବାରେ ଲାଗିଛନ୍ତି। ଆଜି ନାଗ୍ରୋଟାରେ ସୁରକ୍ଷାକର୍ମୀମାନେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଆଗକୁ ବଡ଼ଧରଣର ଆକ୍ରମଣ ହେବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।