ହେଲମେଟ ନପିନ୍ଧି ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ହେଲମେଟ ନପିନ୍ଧି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ଅମାନିଆଙ୍କୁ ସାବାଡ କରିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବହନ ସଚିବ ଚିଠି ଲେଖିଛନ୍ତି। ଏମଭି ଆକ୍ଟ ୧୯୪ ଡି’ ଅନୁଯାୟୀ ହେଲମେଟ ନପିନ୍ଧିଲେ ଡିଏଲ ବାତିଲ ହେବ। ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରି ଅମାନିଆଙ୍କ ଡିଏଲ ବାତିଲ କରାଯାଉ। ୨୦୦୯ରେ ଓ ଚଳିତ ଅକ୍ଟୋବର ଯାଏ ୭ ଦିନ ମଧ୍ୟରେ ବାତିଲ ସଂଖ୍ୟା ଜଣାଇବାକୁ ଡିଜିପିଙ୍କୁ ସଚିବ  ଚିଠି ଲେଖିଛନ୍ତି। ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ସଂପୃକ୍ତ ଥିଲା। ଏଥିରେ ୨ ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଯଦି ଗାଡ଼ି ଚଳାଉଥିବା ସମୟରେ ହେଲମେଟ ପିନ୍ଧିଥାନ୍ତେ, ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ପରିବହନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।