୨୩ରେ ଅନୁଗୁଳରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି, ଭାଗନେବେ ୩୦ ଜିଲ୍ଲାର ଆଶାୟୀ ପ୍ରାର୍ଥୀ

ଅନୁଗୁଳ,ଏନ୍‌ଏନ୍‌ଏସ୍‌: ୩୦ଟି ଜିଲ୍ଲାର ପିଲାମାନଙ୍କୁ ନେଇ ଚଳିତ ମାସ ୨୩ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ପିଟିସି ପଡ଼ିଆରେ ଅନୁଷ୍ଠିତ ହେବ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି। ଏହାର ସୁପରିଚାଳନା ପାଇଁ ଗତକାଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ୧୦୦ରୁ ୧୨୫ ଜଣ ପିଲାଙ୍କ ମଧ୍ୟରେ ବିଭିନ୍ନ ଚୟନ ପ୍ରକ୍ରିୟା ଚାଲିବ।

ଆସନ୍ତା ୨୩ ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ୩ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ରାଲିର ଆୟୋଜନ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ପାନୀୟ ଜଳ ଯୋଗାଣ, ପଡ଼ିଆ, ପିଲା ରହୁଥିବା ଗୃହକୁ ସଫାସୁତୁରା ଓ ବିଶୋଧନ କରିବା ସହ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ପିଲାମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ଚୟନ ପ୍ରକ୍ରିୟା ସମୟରେ ସାମାଜିକ ଦୂରତା ବଜାୟ ରଖିବା, ଗ୍ଲୋଭସ୍‌, ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ନିଯୁକ୍ତି ରାଲିକୁ ଆସୁଥିବା ପିଲାମାନେ ଅନ୍‌ଲାଇନ୍‌ରେ ପାଇଥିବା ଆଡ୍‌ମିଟ୍ କାର୍ଡ ଦେଖାଇଲେ ସେମାନଙ୍କୁ ପିଟିସି ମୁଖ୍ୟ ଫାଟକ ଠାରେ ୨୩ ତାରିଖ ସକାଳ ୫.୩୦ ଘଟିକାରେ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ପ୍ରବେଶ ଅନୁମତି ଦିଆଯିବ। ଚୂଡ଼ାନ୍ତ ପର୍ଯ୍ୟାୟରେ ଉନ୍ନୀତ ପିଲାମାନଙ୍କୁ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ପ୍ରକାର ପରୀକ୍ଷା ପାଇଁ ପିଟିସି ପଡ଼ିଆ ଓ ହଲ୍‌କୁ ସ୍ଥିର କରାଯାଇଛି। ଏହି ରାଲିକୁ କୋଭିଡ୍ ନିୟମାବଳୀ ଆଧାରରେ ସଫଳତାର ସହ ଆୟୋଜନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ରାଲିର ସୁପରିଚାଳନା ପାଇଁ ଭୁବନେଶ୍ୱର ୯ ଏୟାର ସିଲେକ୍ସନ ସେଣ୍ଟରର ୱିଙ୍ଗ୍ କମାଣ୍ଡର ଆର୍ ଏସ୍ ରାୱତ୍ ତାଙ୍କ ବିଭାଗର ୪୫ ଜଣ କର୍ମଚାରୀ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଓ ଅନୁଗୁଳ ଉପ-ଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।