କାଲି ଅପରାହ୍ଣରୁ ରାଜ୍ୟରେ ବର୍ଷା କମିବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାରଠାରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ରାତିରୁ ବୃଦ୍ଧି ପାଇଛି। ସୋମବାର ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୨୪ ମିମିରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିବା ବେଳେ ସୋନପୁରରେ ୯୪, ନୟାଗଡ଼ରେ ୭୦, ପାରାଦ୍ୱୀପରେ ୫୯, ଭବାନୀପାଟଣାରେ ୬୨, ତାଳଚେରରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ୩୦-୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବର୍ଷା ମଙ୍ଗଳବାର ଉପରବେଳା ପର୍ଯ୍ୟନ୍ତ ଲାଗି ରହିବା ସହିତ ଏହା ପରେ ବର୍ଷାର ପରିମାଣ ହ୍ରାସ ପାଇବ। ମଙ୍ଗଳବାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୨୪ ତାରିଖ ଦିନ ପାଗ ଶୁଖିଲା ରହିବା ସହିତ ୨୫ଠାରୁ ପୁଣି ପାଗରେ ପରିବର୍ତ୍ତନ ଆସିବା ସହିତ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି। ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ସହିତ ଓଡ଼ିଶା ଉପକୂଳରେ ଥିବା ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼କୁ ମୁହାଁଇବ। ତେଣୁ ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ସୋମବାର ଅପେକ୍ଷା ମଙ୍ଗଳବାର ବର୍ଷା କମିଯାଇ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ (୩୫ ମିମି) ବର୍ଷା ହୋଇପାରେ। ତେବେ ଉପକୂଳ ଜିଲ୍ଲାମାନଙ୍କରେ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।