୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧବିମାନ କ୍ରୟ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,ଏଜେନ୍ସି: ଚତୁର୍ଥ ପିଢ଼ିର ଡାସାଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧବିମାନ କ୍ରୟ କରିବ ଭାରତୀୟ ବାୟୁସେନା। ଏହା ବାୟୁସେନାର ଦୁଇଟି ସ୍କ୍ୱାର୍ଡନକୁ ମଜଭୁତ କରିବ। ଯୁଦ୍ଧବିମାନ କିଣିବା ପାଇଁ ବାୟୁସେନା ୨୭ ନିୟୁତ ୟୁରୋ ମୂଲ୍ୟର ଏକ ଚୁକ୍ତିନାମା ଆରମ୍ଭ କରିଛି। ଏହି ୨୪ଟି ମଧ୍ୟରୁ ଏବେ ୮ଟି ବ୍ୟବହାର ପରିସ୍ଥିତିରେ ଥିବା ସୂଚନା ମିଳିଛି। ଏହା ପ୍ରତି ବିମାନ ଅଧିଗ୍ରହଣ ମୂଲ୍ୟ ୧.୧୨୫ ନିୟୁତ ୟୁରୋ ବୋଲି ଜଣାପଡିଛି।

ବାୟୁସେନାର ୩୫ ବର୍ଷ ପୁରୁଣା ମିରାଜ୍ ବିମାନ, ଯାହା ୨୦୧୯ ବାଲାକୋଟ ଅପରେସନ୍ ସମୟରେ ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଥିଲା। ବାୟୁସେନାର ପ୍ରାୟ ଚତୁର୍ଥ ପିଢ଼ିର ମିରାଜ୍-୨୦୦୦ସି ଏବଂ ବି ଯୁଦ୍ଧବିମାନ ୧୯୮୫ରେ ୫୦ଟି କ୍ରୟ କରିଥିଲା। ଏକ ରକ୍ଷଣାବେକ୍ଷଣ ଚୁକ୍ତି ସହିତ କିଣିଥିଲା ଯାହା ୨୦୦୫ ରେ ସମାପ୍ତ ହୋଇଥିଲା। ଏହା ପରେ ୨୦୧୫-୨୦୧୬ ମସିହାରେ ଫ୍ରାନ୍ସର ମୂଳ ଯନ୍ତ୍ରପାତି ନିର୍ମାତା ସହିତ ଅନ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।