୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍

ସୁନ୍ଦରଗଡ,ଏନ୍ଏନ୍ଏସ୍: ଶୁକ୍ରବାର ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ। ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ଗାଡି ଚଳାଚଳ ଠପ୍‌ ସହ ସମସ୍ତ ପେଟ୍ରୋଲ ପମ୍ପ ମଧ୍ୟ ଖୋଲି ନଥିବା ଦେଖିବାକୁ ମିଳିଛି।

ସଙ୍ଘ ଅଭିଯୋଗ କରିଛି ଯେ, ହେମଗିରି ବ୍ଳକ ଅଞ୍ଚଳରେ ଥିବା ମହାନଦୀ କୋଲ ଫିଲ୍ଡ ଲିମଟେଡ଼ ଖଣିରୁ କୋଇଲା ପରିବହନରେ ଟ୍ରକ ମାଲିକମାନଙ୍କୁ ପରିବହନ ସଂସ୍ଥା ସରକାରୀ ଧାର୍ଯ୍ୟ କରିଥିବା ଭଢ଼ା ଦେଉନାହାନ୍ତି। ସେହିପରି କୋଇଲା ପରିବହନ କରୁଥିବା ଟ୍ରକକୁ ଦିଆଯାଉଥିବା ଚାଲାଣରେ ଦର ଉଲ୍ଲେଖ କରାଯାଉନଥିବା, କୋଇଲା ଲୋଡ଼ ପାଇଁ ଟ୍ରକ ମାନଙ୍କୁ ଟୋକନ ଠିକ ସେ ମିଳୁନଥିବା ଓ ଟୋଲ ଗେଟ୍ ପଇସା ଟ୍ରକ ମାଲିକ ହାତରୁ ଦେଇଥିବା ସଙ୍ଘ ଅଭିଯୋଗ କରିଛି। ଏହି ୪ ଦଫା ଦାବି ନେଇ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ କରିଛି।

ଗତ ୯ ତାରିଖରେ ପରିବହନ ସଂସ୍ଥା ଓ ଟ୍ରକ୍ ମାଲିକ ସଂଘ ମଧ୍ୟରେ ଥିବା ବିବାଦ ସୁନ୍ଦରଗଡ଼ ଟାଉନ ଥାନାରେ ପହଞ୍ଚିଥିଲା। ଥାନା ପରିସରରେ ଟ୍ରକ ମାଲିକ ସଂଘର ୪ ଦଫା ଦାବିକୁ ନେଇ ସମାଧାନ କରିବା ପାଇଁ ଏକ ବୈଠକ ଚାଲିଥିଲା। ଏହି ସମୟରେ ହଠାତ ପରିବହନ ସଂସ୍ଥା ସହ ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଯାଏଁ କଥା ଯାଇଥିଲା। ଏହାପରେ ସଙ୍ଘ ପକ୍ଷରୁ ବନ୍ଦ ଡକରା ଦିଆଯାଇଥିଲା।