କାଇରୋ,ଏଜେନ୍ସି: ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ବୁଧବାର ଭାରତକୁ ଟିମ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣପଦକ ମିଳିଛି। ୧୦ ମିଟର ଏୟାର୍ ପିସ୍ତଲ ଟିମ୍ ଇଭେଣ୍ଟ୍ରେ ସାମିଲ୍ ଥିବା ଶ୍ରୀ ନିବେତା, ଇଶା ସିଂହ ଓ ରୁଚିତା ବିନେର୍କାର ସ୍ୱର୍ଣ୍ଣପଦକ ପାଇଁ ଖେଳାଯାଇଥିବା ମୁକାବିଲାରେ ୧୬ ପଏଣ୍ଟ୍ ଅର୍ଜନ କରି ଏହି ପଦକ ହାସଲ କରିଛନ୍ତି। ଏହା ଦେଶ ପାଇଁ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ୱର୍ଣ୍ଣ ଓ ତୃତୀୟ ପଦକ।
ପୂର୍ବରୁ ବର୍ଷର ଏହି ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିସାରିଛି। ଏହି ଇଭେଣ୍ଟ୍ରେ ଜର୍ମାନୀର ଆଣ୍ଡ୍ରିଆ କାଥାରିନା ହେକନର୍, ସାଣ୍ଡ୍ରା ରିଜ୍ ଓ କାରିନା ୱିମର୍ଙ୍କ ଟିମ୍ ରୌପ୍ୟ ପଦକ ପାଇଛି। ଏହି ଟିମ୍ ସ୍ୱର୍ଣ୍ଣପଦକ ମୁକାବିଲାରେ ୬ ପଏଣ୍ଟ୍ ଅର୍ଜନ କରିଥିଲା। ଭାରତର ୩ ପ୍ରତିଯୋଗୀ କ୍ୱାଲିଫିକେସନ୍ ରାଉଣ୍ଡ୍-୨ରେ ୫୭୪ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲେ। ଏହି ରାଉଣ୍ଡ୍ରେ ଜର୍ମାନୀ ଟିମ୍ ୫୭୧ ପଏଣ୍ଟ୍ ସହ ଦ୍ୱିତୀୟରେ ରହିଥିଲା।
ସେହିପରି କ୍ୱାଲିଫିକେସନ୍ ରାଉଣ୍ଡ୍-୧ରେ ଭାରତ ୮୫୬ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲା। ବୁଧବାର ପୁରୁଷ ୧୦ ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍ରେ ଭାରତର ସୌରଭ ଚୌଧୁରୀ, ଗୌରବ ରାଣା ଓ ଉଚ୍ଚଗନ୍ୱେ କେଦାର୍ଲିଙ୍ଗ୍ ବାଲକ୍ରିଷ୍ଣ ବ୍ରୋଞ୍ଜ୍ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି। ଏହି ଇଭେଣ୍ଟ୍ରେ ଭାରତୀୟ ଟିମ୍ ୬ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲା।