ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଚମକିଲା ଭାରତ, ଘରୋଇ ଦଳ ୫୦ ରନ୍‌ରେ ପରାସ୍ତ

ସାଉଥେମ୍ପଟନ୍‌,ଏଜେନ୍ସି: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଗୁରୁବାର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ଦଳକୁ ୫୦ ରନ୍‌ରେ ପରାସ୍ତ କରିଛି । ଏଥି ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ସାଉଥେମ୍ପଟନ୍‌ସ୍ଥିତ ଦ ରୋଜ ବୋଲ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା ।

୧୯୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପାଳି ଆରମ୍ଭ କରିଥିଲା । ପୂରା ଟିମ୍‌ର ଖେଳାଳି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୮ ରନ୍ କରିଥିଲେ । ଭାରତୀୟ ଟିମ୍‌ର ବିଜୟୀ ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ଉଭୟ ବଲ୍ ଓ ବ୍ୟାଟ୍‌କୁ ଭଲ ବ୍ୟବହାର କରିଥିଲେ । ଭାରତ ପକ୍ଷରୁ ପାଣ୍ଡ୍ୟା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅର୍ଶଦୀପ ସିଂହ ଓ ୟୁଜବେନ୍ଦ୍ର ଚହଲଙ୍କୁ ୨-୨ ୱିକେଟ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଉଭୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୯ରେ ଏଜବେଷ୍ଟନରେ ୨ୟ ଟି-୨୦ ଖେଳାଯିବ ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୫୧ ରନ୍ ସଂଗ୍ରହ କରିଥିଲେ । ସେ ୩୩ଟି ବଲ୍ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୯ ଓ ହୀପକ ହୁଡ଼ା ୩୩ ରନ୍ କରିଥିଲେ ।