ଆଜି ଓଡ଼ିଶା ଆସୁଛନ୍ତି ‘ଏନ୍‌ଡିଏ୍‌’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ସ୍ୱାଗତ ପାଇଁ ଭବ୍ୟ ଆୟୋଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ନେତୃତ୍ୱ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି (ଶୁକ୍ରବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଆ ଝିଅ ଶ୍ରୀମତୀ ମୁର୍ମୁଙ୍କ ପାଇଁ ଜୋରଦାର ଆୟୋଜନ କରାଯାଇଛି । ସେହିପରି ରାଜ୍ୟର ଶାସନକ ଦଳ ବିଜୁ ଜନତା ଦଳ (ବିଜେଡି) ମଧ୍ୟ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇବ ।

ସୂଚନା ଅନୁସାରେ ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ବିଧାନସଭାରେ ପହଞ୍ଚିବେ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବିଧାନସଭାର ୫୪ ନମ୍ବର କକ୍ଷରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏପର୍ଯ୍ୟନ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସଭାରେ ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ ।

ଦ୍ରୌପଦୀ ମୁର୍ମୁଙ୍କ ଆଜିର କାର୍ଯ୍ୟକ୍ରମ

-ବିମାନବନ୍ଦରରୁ ଅତିଥି ଭବନ ଯିବେ

-ପୂର୍ବାହ୍ନ ସାଢ଼େ ୧୦ଟାରେ ବିଧାନସଭା ଯିବେ

-୧୧ଟାରେ ରାଜ୍ୟ ଅତିଥି ଭବନ ଯିବେ । ସେଠାରେ ବିଜେପି ନେତାଙ୍କୁ ଭେଟିବେ ।

-ଅପରାହ୍ନ ସାଢ଼େ ୧୨ଟାରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ

ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତମାସ ୨୧ ତାରିଖରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଥିଲେ । ଶ୍ରୀ ନଡ୍ଡାଙ୍କର ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥାଇ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ପରେ ସେ ଟୁଇଟ୍ କରି ବିଜେଡି ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇବା ସହିତ ଅନ୍ୟ ଦଳର ବିଧାୟକଙ୍କୁ ମଧ୍ୟ ସମର୍ଥନ ଜଣାଇବାକୁ ଅନୁରୋଧ କରିବାକୁ କହିଥିଲେ । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ନିଜ ନିବାସରେ ଭେଟିଥିଲେ । ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଜଣାଇବା ପାଇଁ ସେ ଶ୍ରୀ ମୁଦୁଲିଙ୍କୁ ଅନୁରୋଧ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୮ ତାରିଖରେ ହେବ । ଜୁଲାଇ ୨୧ ତାରିଖରେ ଗଣତି ହେବ ।