ଅନ୍ତିମ ମ୍ୟାଚରେ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ଗାନ୍ଧୀନଗର,ଏଜେନ୍ସି: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି ୨୦ ସିରିଜର ଆଜି ଅନ୍ତିମ ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଫଳରେ ସିରିଜ ୧-୧ରେ ବରାବର ରହିଛି । ସିରିଜ ବିଜୟୀ ହେବ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଏଥି ପାଇଁ ଭାରତ ଓ ଶ୍ରୀଲଙ୍କା ଖେଳାଳି ନିଜକୁ ପ୍ରସ୍ତୁତ କରିଛନ୍ତି । ରାଜକୋର୍ଟର ସୌରାଷ୍ଟ୍ରରେ ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଥିଲେ ମଧ୍ୟ ଖେଳାଳିଙ୍କୁ ନେଇ ପ୍ରଥମ ମ୍ୟାଚରେ ପଡିଆକୁ ଓହ୍ଲାଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାହିନୀ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଥିଲା । ଦୀପକ ହୁଡ୍ଡା ଓ ଅକ୍ଷର ପଟେଲ ବିସ୍ଫୋରକ ପାଳି ଖେଳିଥିଲେ । ଦୀପକ ହୁଡା ୨୩ ବଲରୁ ଗୋଟିଏ ଚୌକା ଏବଂ ୪ ଟି ଛକା ସହିତ ୪୧ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ ୨୦ ବଲରୁ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୧ ରନର ଇନିଂସ ଖେଳିଥିଲେ । ସେହିପରି ଇଶାନ କିଶାନ ୩୭ ରନ କରିଥିଲେ । ଫଳରେ ଜବାବରେ ଶେଷ ଓଭରରେ ଭାରତୀୟ ଦଳର ଜବରଦସ୍ତ ବୋଲିଂ ଯୋଗୁଁ ଶ୍ରୀଲଙ୍କା ପରାଜିତ ହୋଇଥିଲା ।

ଏହାପରେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୨୦୬ ରନ୍‌ କରିଥିଲା । ଜବାବରେ ଭାରତ ୮ ୱିକେଟ ବିନିମୟରେ ୧୯୦ ରନ୍‌ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲା । ଫଳରେ ୧୬ ରନରେ ବିଜୟୀ ହୋଇଥିଲା ଶ୍ରୀଲଙ୍କା । ତେବେ ଆଜି ନିର୍ଣ୍ଣାୟକ ଲଢେଇ ଥିବା ବେଳେ କିଏ ସିରିଜ କବଜା କରୁଛି ତା ଉପରେ ସମସ୍ତଙ୍କ ନଜର ।

ଶ୍ରୀଲଙ୍କା ପୂର୍ବ ମ୍ୟାଚରେ ବିଜୟୀ ହୋଇଥିବାରୁ ମନୋବଳ ଦୃଢ ରହିଛି । ଉଭୟ ବ୍ୟାଟି ଓ ବୋଲିଂ କ୍ଷେତ୍ରରେ ନିଜକୁ ଜୋରଦାର ପ୍ରସ୍ତୁତ କରିଛି ଦଳ । ସେହିପରି ଆଜି ଶେଷ ମ୍ୟାଚ ଥିବାରୁ ଭାରତୀୟ ଦଳର ମନୋବଳ ମଧ୍ୟ ଦୃଢ ରହିଛି । ଦ୍ବିତୀୟ ମ୍ୟାଚରେ ହାରିଥିଲେ ସୁଦ୍ଧା ଶ୍ରୀଲଙ୍କାଠୁ ସିରିଜ ଛଡାଇବା ଲକ୍ଷ୍ୟ ରଖିଛି ଭାରତ । ଦଳରେ ଯୁବକ ଖେଳାଳି ଥିଲେ ମଧ୍ୟ ଆଜି ଜିଜାନ ଲଗାଇ ମ୍ୟାଚ ଖେଳିବ ଦଳ ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ୨୬ଟି ଟି୨୦ ମ୍ୟାଚ ଖେଳାଯାଇଛି । ଏଥି ମଧ୍ୟରୁ ୧୭ଟି ମୁକାବିଲାରେ ଭାରତ ବିଜୟୀ ହୋଇଛି । ଶ୍ରୀଲଙ୍କା ୮ ଟି ମ୍ୟାଚରେ ବିଜୟ ଲାଭ କରିଛି । ଗୋଟିଏ ମ୍ୟାଚର କିଛି ଫଳାଫଳ ବାହାରି ନଥିଲା । ବର୍ଷ ୨୦୨୨ରେ ଦୁଇ ଦଳ ମଧ୍ୟରେ ତିନି ଟିକିଆ ଟି୨୦ ସିରିଜ ଖେଳାଯାଇଥିଲା । ଏଥିରେ ଭାରତ ୩-୦ ରେ ସିରିଜ କ୍ଲିନ ସ୍ବପ କରିଥିଲା ।