ନ୍ୟୁଜିଲାଣ୍ଡ-ଭାରତ ପ୍ରଥମ ଟି-୨୦, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ୱେଲିଂଟନ,ଏଜେନ୍ସି: ଆଜିଠୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ୩ ଟିକିଆ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ନେତୃତ୍ବ ନେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଆଜି ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଦଳ । ସଦ୍ୟ ସମାପ୍ତ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ବିଫଳତା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ । ଟି-୨୦ ବିଶ୍ବକପ ସେମିରୁ ବିଦା ହୋଇଥିବା ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ହେବ । କେନ ୱିଲିୟମସନଙ୍କ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି ।

ପୂର୍ବ ବର୍ଷ ୟୁଏଇ ବିଶ୍ବକପରେ ବିଫଳତା ପରେ ଚଳିତ ଆଇସିସି ଟି-୨୦ରେ ଗ୍ରୁପ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ବି ଭାରତର ଟ୍ରଫି ସ୍ବପ୍ନ ଚୁରମାର ହୋଇଥିଲା । ସେମିଫାଇନାଲରେ ଇଂଲଣ୍ଡଠୁ ପରାସ୍ତ ହୋଇ ଟ୍ରଫି ଟକ୍କରରୁ ବାଦ ପଡିଥିଲା ଟିମ ଇଣ୍ଡିଆ । ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏହି ଟି-୨୦ ସିରିଜରେ ପୂର୍ବ ତ୍ରୁଟି ସୁଧାରିବାକୁ ଲକ୍ଷ୍ୟ ରଖିଛି ଦଳ । ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତ ।

ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ଟି-୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେମି ମୁକାବିଲାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତାଙ୍କ ଦମଦାର ବ୍ୟାଟିଂ ପାଇଁ ଦଳୀୟ ସ୍କୋର ଆଗରୁ ବଢିପାରିଥିଲା । ଆଜି ତାଙ୍କ ରଣନୀତି ସହ ପ୍ରଦର୍ଶନ ଉପରେ ନଜର ରହିବ । ଆଇସିସି ଟୁର୍ଣ୍ଣାମେଣ୍ଟର ବିଫଳତାକୁ ପଛରେ ପକାଇ ମଇଦାନକୁ ଓହ୍ଲାଇବ ଦଳ । ତେବେ ଦଳର ବ୍ୟାଟିଂ ଭଲ ରହିଥିଲେ ବୋଲିଂ ବିଭାଗରେ ସନ୍ତୁଳନ ଆଣିବାକୁ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କଲେ ଦଳର ବିଜୟ ସହଜ ହେବ । ଇଷାନ କିସନ ଓ ଶୁଭମନ ଗିଲ ଓପନିଂ କରିପାରନ୍ତି ।