ଗାଜାରେ ଭୟଙ୍କର ଅଗ୍ନିକାଣ୍ଡ, ୭ ପିଲାଙ୍କ ସମେତ ୨୧ ଜୀବନ୍ତ ଦଗ୍ଧ

ଗାଜା,ଏଜେନ୍ସି: ପାଲେଷ୍ଟାଇନର ଗାଜା ସହରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସହରର ଜାବାଲିଆ ଶରଣାର୍ଥୀ ଶିବିରରେ ନିଆଁ ଲାଗିବା ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ଛୋଟ ପିଲା ରହିଥିବା ସୂଚନା ମିଳିଛି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଗାଜାର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତକାଲି(ଗୁରୁବାର) ଉତ୍ତର ଗାଜାର ଜନବହୁଳ ଜାବାଲିଆ ଶରଣାର୍ଥୀ ଶିବିରର ଏକ ଚାରି ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବିଲ୍ଡିଂ ଭିତରେ ବିପୁଳ ପରିମାଣର ପେଟ୍ରୋଲ ଗଚ୍ଛିତ ରଖାଯାଇଥିଲା । ତେଣୁ ନିଆଁ ଲାଗିବା ପରେ ହୁ ହୁ ହୋଇ ଏହା ପୁରା ବିଲ୍ଡିଂରେ ବ୍ୟାପି ଯାଇଥିଲା । ଯେଉଁ କାରଣରୁ ବିଲ୍ଡିଂ ଭିତରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୭ ଜଣ ପିଲାଙ୍କ ସମେତ ମୋଟ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡିତଙ୍କ ପାଇଁ ଦେଶରେ ଦିନିକିଆ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ପ୍ରକାଶଥାଉ କି, ଗାଜାରେ ଥିବା ୮ଟି ଶରଣାର୍ଥୀ ଶିବିର ମଧ୍ୟରୁ ଜାବାଲିଆ ଅନ୍ୟତମ । ଏଠାରେ ପ୍ରାୟ ୨.୩ ମିଲିୟନ ଲୋକ ବସବାସ କରୁଛନ୍ତି ।