ସରିଲା ଐତିହାସିକ ବାଲିଯାତ୍ରା, ପୁଣି ଆର ବର୍ଷକୁ ଅପେକ୍ଷା

କଟକ,ଏନ୍ଏନ୍ଏସ୍: ଶେଷ ହେଲା ଐତିହାସିକ ବାଲିଯାତ୍ରା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ମହାନଦୀକୂଳେ ଆଳତି ପରେ ବୈଷ୍ଣବ ପାଣି ମଞ୍ଚରେ ଐତିହାସିକ ବାଲିଯାତ୍ରାର ଗାଥା ବଖାଣିଲେ ରାଜ୍ୟପାଳ । ଚଳିତବର୍ଷ ବାଲିଯାତ୍ରାରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ବେଶ ଲାଭବାନ ହୋଇଛନ୍ତି ।

ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ତଥା ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ବାଲିଯାତ୍ରାର ଇତିହାସ ପୃଷ୍ଠାରେ ‘ଗିନିଜ ବୁକ ଅଫ ରେକର୍ଡ’ ସାମିଲ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ବେଶ ଆଡ଼ମ୍ବର ସହକାରେ ବାଲିଯାତ୍ରା ଆୟୋଜନ ହୋଇଥିବାରୁ ଉଭୟ ବ୍ୟବସାୟୀ ଏବଂ ଦର୍ଶକ ଲାଭବାନ ହୋଇଛନ୍ତି । କୁହାଯାଉଛି ଯେ, ୨୦୧୯ ଅପେକ୍ଷା ଏବର୍ଷ ଦୁଇ ଗୁଣା ଲୋକ ବାଲିଯାତ୍ରା ବୁଲିଛନ୍ତି । ମହାନଦୀର ଗଡ଼ଗଡ଼ିଆ ପଠାରେ ୧୦ ଦିନ ଧରି ଚାଲୁଥିବା ବାଲିଯାତ୍ରାର ଭରପୂର ମଜା ଉଠାଇଲେ ଦର୍ଶକ । ମନ ପସନ୍ଦ କିଣା ସାଙ୍ଗକୁ ଲୋକପ୍ରିୟ କଳାକାରଙ୍କ ପ୍ରଦର୍ଶନ ଦେଖଣାହାରିଙ୍କୁ ବାଲିଯାତ୍ରା ପଡ଼ିଆକୁ ଟାଣିଆଣିଥିଲା । ସ୍ବଚ୍ଛତା ଓ ସୁରକ୍ଷା ନେଇ କଟକ ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଧ୍ୟାନ ଦେଇଥିଲା । ଶେଷ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏନେଇ ଜିଲ୍ଲାପାଳ କହିଛନ୍ତି, ” କୌଣସି ଦିଗରେ କେଉଁଠି ବି ତ୍ରୁଟି ପରିଲକ୍ଷିତ ହୋଇନାହିଁ । ସବୁ ବିଭାଗ ମଧ୍ୟରେ ସହଯୋଗୀତା ଓ ସମୟର ଗୁରୁତ୍ୱ ଆରୋପକୁ ଆଧାର କରି ଏହି ବିଶାଳ ବାଲିଯାତ୍ରା ସମ୍ଭବ ହୋଇ ପାରିଛି ।” ତେବେ ବାଲିଯାତ୍ରା ଇତିହାସରେ ଚଳିତ ବର୍ଷ ବାଲିଯାତ୍ରା ଏକ ସ୍ଵତନ୍ତ୍ର ସ୍ଥାନ ହୋଇ ରହିବ । ବିଶେଷ କରି କଟକ ଇନ କଟକ, ବୋଟିଂ ପଏଣ୍ଟ , ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ଆଦି ବିଭିନ୍ନ ନୂତନ ଯୋଜନା ସଫଳ ହେବା ଦ୍ବାରା ହିଁ ବାଲିଯାତ୍ରା ସଫଳତାର ଶେଷ ହୋଇ ପାରିଛି ।