ଆଜି ସିରିଜ ନିର୍ଣ୍ଣାୟକ ଟି-୨୦ ଟକ୍କର

ହାଇଦ୍ରାବାଦ,ଏଜେନ୍ସି: ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଆଜି (ରବିବାର) ତୃତୀୟ ତଥା ଅନ୍ତିମ ମୁକାବିଲା। ଏହା ସିରିଜ ନିର୍ଣ୍ଣାୟକ ମ୍ୟାଚ ହେବ । ଏହି ମ୍ୟାଚ ଯିଏ ଜିତିବ ସେ ସିରିଜ କବଜା କରିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ୧-୧ରେ ସ୍ଥିତି ବରାବର ରହିଛି । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତିଥିବାବେଳେ ଭାରତ ଦ୍ବିତୀୟ ମ୍ୟାଚ ଜିତିଛି । ଅନ୍ତିମ ମୁକାବିଲାକୁ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ମଧ୍ୟ ଶେଷ ମୁକାବିଲା ଜିତିବାକୁ ପ୍ରସ୍ତୁତ ରହିଛି । ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ ।

ମୋହାଲି ପ୍ରଥମ ଟି-୨୦ରେ ଭାରତ ୨୦୮ ରନର ବିଶାଳ ସ୍କୋର କରିବା ପରେ ବି ବୋଲିଂ ବିଫଳତା ପାଇଁ ପରାସ୍ତ ହୋଇଥିଲା । ନାଗପୁରରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ବର୍ଷା ବାଧକ ସାଜିଥିଲା । ତେଣୁ ୮ ଓଭର ମ୍ୟାଚ ଖେଳାଯାଇଥିଲା। ରୋହିତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ପରେ ବି ଭାରତର କିଛି ତ୍ରୁଟିରେ ସୁଧାର ଆସିନଥିଲା । ଜଶପ୍ରୀତ ବୁମରା ସଫଳ କମବ୍ୟାକ କରିଥିଲେ ବି ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ବ୍ୟାଟିଂ ସ୍ଥିତି ଠିକ ଥିବା କୁହାଯାଉଥିଲେ ମଧ୍ୟ ଋଷବ ପନ୍ତଙ୍କୁ ଖେଳାଇ ବ୍ୟାଟିଂ ଶକ୍ତି ବୃଦ୍ଧି କରିବା ରଣନୀତି କାମ ଦେଇନଥିଲା । ଆଜିର ମୁକାବିଲାରେ ପନ୍ତଙ୍କୁ ବାଦ କରାଯାଇପାରେ । ଭୁବନେଶ୍ବର କୁମାର ଏକାଦଶରେ ସାମିଲ ହେବ ସମ୍ଭାବନା ଅଧିକ ରହିଛି । ଚହରଙ୍କ ସ୍ଥାନରେ ଅଶ୍ବିନୀ ଖେଳିପାରନ୍ତି। ଅନ୍ତିମ ମୁକାବିଲାରେ ଭାରତକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ତେବେ ଯାଇ ବିଜୟ ସହଜ ହେବ ।

ସେପଟେ ଅଷ୍ଟ୍ରେଲିଆ ଅନ୍ତିମ ଟି-୨୦ ଜିତି ସିରିଜ ହାତେଇବାକୁ ଜୋରଦାର ପ୍ରସ୍ତୁତି କରିଛି । ୭ ଜଣ ବ୍ୟାଟରଙ୍କୁ ନେଇ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ । ଅଷ୍ଚେଲିଆର ବୋଲିଂ ବିଭାଗ ଦୁର୍ବଳ ରହିଛି । ପ୍ରଥମ ଟି-୨୦ରେ ୨୦୦ରୁ ଅଧିକ ରନ ଦେଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମଧ୍ୟ ଶସ୍ତା ସାବ୍ୟସ୍ତ ହୋଇଥିଲେ । ବ୍ୟାଟିଂରେ ମାଥ୍ୟୁ ୱେଡ ଓ ଆରେନ ଫିଞ୍ଚ ଫର୍ମକୁ ଫେରିଥିବାବେଳେ ମ୍ୟାକ୍ସୱେଲ ଆଜି ବଡ ଇନିସଂ ଖେଳି ପାରନ୍ତି । ପାଗ କୋହଲା ରହିବ । ବର୍ଷା ହେବାର ସମ୍ଭାବନା ରହିିଛି । ୨୦ ଓଭର ମ୍ୟାଚ ଖେଳାଯିବାକୁ ଚେଷ୍ଟା କରାଯିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚୟ । ଏଠାରେ ଖେଳାଯାଇଥିବା ୧୬ଟି ଟି-୨୦ ମଧ୍ୟରୁ ଉଭୟ ଭାଗରେ ବ୍ୟାଟିଂ କହିଥିବା ଦଳ ୮ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।