ସୋନିଆଙ୍କୁ ଭେଟିବେ ଲାଲୁ, ନୀତିଶ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଜାତୀୟ ରାଜନୀତିରେ ଚର୍ଚ୍ଚା ଓ ଉଷ୍ମତା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସର୍ବାଧିକ ଚର୍ଚ୍ଚାରେ ରହିଛି ବିରୋଧୀ ଏକତା ପ୍ରସଙ୍ଗ । ସମସ୍ତ ବିରୋଧୀ ଦଳମାନେ ଏକକ ଭାବେ ନୁହନ୍ତି ବରଂ ମିଳିତ ଭାବେ ବିଜେପି ବିରୋଧରେ ନିର୍ବାଚନ ଲଢିବେ । ଏଥିପାଇଁ ଗତ କିଛି ମାସ ଧରି ପ୍ରୟାସ ମଧ୍ୟ ଆରମ୍ଭ ହୋଇଗଲାଣି ।

ତେବେ ଏହି ବିଜେପି ବିରୋଧୀ ମଞ୍ଚକୁ ଏକାଠି କରିବାରେ ପ୍ରମୁଖ ଭୂମିକାରେ ଦୃଶ୍ୟମାନ ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ କାନ୍ଧ ମିଳାଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଖୁବଶୀଘ୍ର ଉଭୟ ଲାଲୁ ଓ ନୀତିଶ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବେ ।

ସୋନିଆଙ୍କ ସହ ସାକ୍ଷାତ ନେଇ ଲାଲୁ କହିଛନ୍ତି, ‘‘ନୀତିଶଙ୍କ ସହ ମୁଁ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପାଇଁ ଯିବି । ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଏକତା ନେଇ ଆଲୋଚନା ହେବ । ପରେ ମୁଁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବି । ରାହୁଲ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଛନ୍ତି । ସେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ପରେ ତାଙ୍କ ସହ ଆଲୋଚନା କରିବି ।’’

ବିରୋଧୀ ଏକତା ଓ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ନେଇ ଲାଲୁ କହିଛନ୍ତି, ବିରୋଧିମାନେ ଏକାଠି ହୋଇପାରିଲେ ବିଜେପି କ୍ଷମତାରୁ ବାହାରେ ରହିବାକୁ ବାଧ୍ୟ ହେବ । ଲାଲୁ ଆହୁରି ମଧ୍ୟ କହିଛନ୍ତି ବିଜେପି ଦେଶରେ ସାମ୍ପ୍ରଦାୟିକ ସଦଭବନାକୁ ନଷ୍ଟ କରିବା ପରି ପ୍ରୟାସ ଜାରି ରଖିଛି । ଏହି ସବୁ କାରଣ ପାଇଁ ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କୁ ଦୂରେଇ ରଖୁଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତ ଥିବା ବେଳେ ଲାଲୁ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହିମ ବିରୋଧୀ ଏକତା ଅଭିଯାନ ଆରମ୍ଭ କରି ସାରିଛନ୍ତି । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ ସହଯୋଗରେ ସରକାର ଗଠନ କରିବା ପରେ ବିଜେପି ବିରୋଧୀ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ଭେଟିବା ଆରମ୍ଭ କରି ସାରିଛନ୍ତି ନୀତିଶ । ସେ ରାହୁଲ ଗାନ୍ଧୀ, କେସିଆର, କେଜ୍ରିଓ୍ବାଲ, ଅଖିଳେଶଙ୍କ ସମେତ ବହୁ ବିଜେପି ବିରୋଧୀଙ୍କୁ ଭେଟି ଏହି ମଶନକୁ ସଫଳ କରିବାରେ ଲାଗିଛନ୍ତି । ଏହାରି ମଧ୍ୟ ପୂର୍ବରୁ ଜାତୀୟ ରାଜନୀତିରେ ଦୀର୍ଘକାଳୀନ ପ୍ରଭାବ ରଖି ଆସିଥିବା ଲାଲୁ ମଧ୍ୟ ନୀତିଶଙ୍କ ଯୋଡି ହେବାକୁ ଯାଉଛନ୍ତି ।