ଫସଲ ବୀମା ଦାବିରେ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଚାଷୀ ଅଧିକାର ପଦଯାତ୍ରା, ଗାଁ ଗାଁ’ରେ ଚାଷୀଙ୍କ ସମର୍ଥନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର କରଲଗା, ନୂଆଡିହି, ପଳାସମା, ଖିଲେଇ ଓ ଦନ୍ତାରୀବାହାଳ ଆଦି ପାଞ୍ଚ ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ପ୍ରଦାନ ନେଇ ଜିଲ୍ଲା ପ୍ରଶାସନ ଓ ଇନସ୍ୟୁରାନ୍ସ କମ୍ପାନୀର ଅବହେଳା ପ୍ରତିବାଦରେ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆଜି ଠାରୁ ଦୁଇ ଦିନିଆ ଚାଷୀ ଅଧିକାର ପଦଯାତ୍ରା ଆରମ୍ଭ ହୋଇଛି। ସଙ୍ଘର ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ସଙ୍ଘର ସମ୍ପାଦକ ଗୁଣନିଧି ବେହେରା, ସଦସ୍ୟ ଲଳିତ ମୋହନ ପ୍ରଧାନ, ଜଗଦାନନ୍ଦ ବାଗ, ଭକ୍ତ ବନ୍ଧୁ ପ୍ରଧାନ, ଗିରିଧାରୀ ପ୍ରଧାନ, ଦେବରାଜ ପ୍ରଧାନ, ମୋହନ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ କରଲଗା ପଞ୍ଚାୟତ ଠାରୁ ଚାଷୀ ଅଧିକାର ପଦଯାତ୍ରାରେ ବାହାରିଥିଲେ।

ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଚାଷୀ ନେତୃବୃନ୍ଦଙ୍କୁ ଗ୍ରାମରେ ପାଦ ଧୋଇ ଫୁଲହାର ପିନ୍ଧାଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ୪୫ କିମି ପଦଯାତ୍ରା ପରେ ଆସନ୍ତାକାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଦାବି ପୂରଣ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇବା ନେଇ ପ୍ରସ୍ତୁତି କରିଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।