ଏଫ୍‌ଆଇଏଚ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ରେ ଭାରତକୁ ଉନ୍ନତି

ଲୌସେନ୍‌,ଏଜେନ୍ସି: ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଏଫ୍‌ଆଇଏଚ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି ଘଟାଇ ଯଥାକ୍ରମେ ତୃତୀୟ ଓ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଉନ୍ନତ ପ୍ରଦର୍ଶନ ଆଧାରରେ ଏହି ଦୁଇ ଦଳ ସୋମବାର ଘୋଷିତ ସଦ୍ୟ ର‌୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିପାରିଛନ୍ତି। ଭାରତୀୟ ପୁରୁଷ ଦଳ ଇଂଲଣ୍ଡ ଏବଂ ଜର୍ମାନୀ ବିପକ୍ଷରେ ୩ଟି ଲେଖାଏଁ ବିଜୟ ଓ ଗୋଟିଏ ଲେଖାଏଁ ଡ୍ର’ ସହ ନେଦରଲାଣ୍ଡ୍‌ସକୁ ଚତୁର୍ଥକୁ ଠେଲି ତୃତୀୟ ସ୍ଥାନରେ ପହଞ୍ଚିଛି।

ମାଲେସିଆ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ୪-୦ରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ଶୀର୍ଷରେ କାଏମ ରହିଥିବା ବେଳେ ବେଲଜିୟମ୍ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଭାରତ ଓ ନେଦରଲାଣ୍ଡ୍‌ସ ଦଳେ ଜର୍ମାନୀ, ଆର୍ଜେଣ୍ଟିନା, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ପଞ୍ଚମରୁ ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ମହିଳା ର‌୍ୟାଙ୍କିଙ୍ଗ୍‌ରେ ଭାରତ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ବିଜୟୀ ହୋଇ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ନେଦରଲାଣ୍ଡ୍‌ସ ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡ ଚତୁର୍ଥରେ, ଜର୍ମାନୀ ପଞ୍ଚମରେ, ସ୍ପେନ୍ ଷଷ୍ଠରେ ଓ ନ୍ୟୁଜିଲାଣ୍ଡ୍ ଭାରତ ପଛରେ ଅଷ୍ଟମ ସ୍ଥାନରେ ରହିଛି।