ଡେନ୍‌ମାର୍କ ଓପନ୍‌: ଓହରିଲେ ସମୀର, ଭାରତର ଅଭିଯାନ ଶେଷ

ଓଡେନ୍,ଏଜେନ୍ସି: ଅଲିମ୍ପିକ୍ ଡବଲ୍ ମେଡାଲ୍ ବିଜେତା ପିଭି ସିନ୍ଧୁଙ୍କ ପରାଜୟ ପରେ କ୍ୱାର୍ଟର୍ ଫାଇନାଲ୍‌ରେ ସମୀର ବର୍ମା ରିଟାୟର୍ଡ ହର୍ଟ ହେବା ଫଳରେ ଚଳିତ ଡେନ୍‌ମାର୍କ ଓପନ୍ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଅଭିଯାନର ନୈରାଶ୍ୟଜନ ସମାପ୍ତି ଘଟିଛି। ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ ବିଶ୍ୱ ନଂ ୮ କୋରିଆର ଆନ୍ ସେୟଙ୍ଗ୍‌ଙ୍କଠାରୁ ସିଧା ଗେମ୍‌ରେ ପରାସ୍ତ ହୋଇଥିଲେ। ତେବେ ବିଶ୍ୱର ନଂ ୩ ଖେଳାଳି ଆଣ୍ଡର୍ସ ଆଣ୍ଟୋନ୍‌ସନ୍‌ଙ୍କୁ ସିଧା ଗେମ୍‌ରେ ହରାଇ ସମୀର ବର୍ମା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଶୁକ୍ରବାର ଟମି ସୁଗିଆର୍ଟୋଙ୍କ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍‌ରେ ସମୀରଙ୍କ ଏହି ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ପ୍ରଥମ ଗେମ୍ ୧୭-୨୧ରେ ହାରିଥିବା ୨୭ ବର୍ଷୀୟ ସମୀର ଦ୍ୱିତୀୟ ଗେମ୍‌ରେ ୦-୧ରେ ପଛୁଆ ଥିବାବେଳେ ଆହ ହେବାରୁ ଆଉ ଖେଳ ଜାରି ରଖିପାରି ନଥିଲେ। ସେ ଓହରିଯିବାରୁ ସୁଗିଆର୍ଟୋ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।