ଶସ୍ତା ରାଜନୀତି ଛାଡ଼, ନହେଲେ ଲୋକେ କ୍ଷମା ଦେବେନାହିଁ: ବିଜେଡି ପ୍ରବକ୍ତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ‘ବିଜେପି ମହିଳା ମୋର୍ଚ୍ଚା ଶସ୍ତା ରାଜନୀତି କରୁଛି। ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଯେଉଁଭଳି ସେମାନେ ନିମ୍ନ ରୁଚିର ରାଜନୀତି କରୁଛନ୍ତି, ସେଥିପାଇଁ ଓଡ଼ିଶା ଲୋକେ ଆଦୌ କ୍ଷମା କରିବେ ନାହିଁ।’

ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାକୁ କଡ଼ା ଜବାବ୍ ଦେଇ ବିଜେଡି ପ୍ରବକ୍ତା ଏଲିନା ଦାସ ଓ ସୁଶ୍ରୀ ଇପ୍ସିତା ସାହୁ ଏଭଳି ଢ଼ଙ୍ଗରେ ବିଶୋଦ୍‌ଗାର କରିଛନ୍ତି। ସେମାନେ କହିଛନ୍ତି ଯେ, ଓଡ଼ିିଶା ବିଜେପିର ମହିଳା ମୋର୍ଚ୍ଚା ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି। ଏଭଳି ଶସ୍ତା ରାଜନୀତି ପୂର୍ବରୁ କେବେ ଦେଖାଯାଇ ନଥିଲା। ଓଡ଼ିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫ୍‌ଆଇଆର ହୋଇପାରିବ ନାହିଁ। ଏହା ଜାଣି ମଧ୍ୟ ସେମାନେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍‌ଆଇଆର ଦେଇଛନ୍ତି। ଏଥିରୁ ଜଣାପଡୁଛି ଯେ କିଏ କେତେ ଅଧିକ ଟିଭିରେ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସେଥିପାଇଁ ସେମାନେ ଏଭଳି ନିମ୍ନ ରୁଚିର କାର୍ଯ୍ୟ କରିବା ସହ ଅତି ତଳ ସ୍ତରର ରାଜନୀତି କରୁଛନ୍ତି। ଫଳରେ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ ହେଉଛି।

ବିଜେଡିର ଉଭୟ ପ୍ରବକ୍ତା ପୁଣି କହିଛନ୍ତି ଯେ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି। ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସଂଖ୍ୟା ବଢ଼ି ବଢ଼ିି ଚାଲିଛି। ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଏଥିରେ ଜଡ଼ିତ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡ଼ିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି ଏବଂ ସବୁ ଘଟଣାରେ ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି। ସତ କ’ଣ ଜାଣିବା ସତ୍ତ୍ୱେ ଓଡ଼ିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଓଡ଼ିଶା ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭବିଷ୍ୟତରେ ବି କରିବେ ବୋଲି ଉଭୟ ପ୍ରକାଶ କରିଛନ୍ତି।