ଜୁଆ ଖେଳ ଉପରେ ଚଢ଼ଉବେଳେ ପୁଲିସକୁ ଆକ୍ରମଣ, ୩୦ ଅଟକ

ବାଲିପାଟଣା,ନରୋଦା,ଏନ୍ଏନ୍ଏସ୍: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ କମିସନରେଟ୍ ପୁଲିସକୁ ପୁଣି ହଟହଟା ହେବାକୁ ପଡିଛି। ଲୋକମାନଙ୍କ ସଂଘବଦ୍ଧ ଆକ୍ରମଣରେ ସ୍ପେସାଲ ସ୍କ୍ୱାଡ ପୁଲିସ ଟିମ୍ ଗାଡିଛାଡି ଛତ୍ରଭଙ୍ଗ ଦେଇଥିଲେ। ଆଜି ଏହି ଘଟଣାରେ ପୁଲିସ ମିଳିତ ଚଢ଼ଉ କରି ଏହି ଅଂଚଳରୁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଧରିଆଣି ଅଟକ ରଖିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଏହି ଥାନା ଅଧୀନସ୍ଥ ରାଜସ ଗ୍ରାମ ପଞ୍ଚାୟତର କୃଷ୍ଣପୁର ମେଳଣର ଦ୍ୱିତୀୟ ରାତ୍ରର ଯାତ୍ରା ଗତ ଶୁକ୍ରକାର ରାତିରେ ହେଉଥିଲା। ସେଠାରେ ଜୁଆଖେଳ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରାତ୍ର ପ୍ରାୟ ଦୁଇଟା ବେଳେ ଏକ ସ୍ପେସାଲ୍ ସ୍କ୍ୱାଡ୍ ଟିମ୍ ସାଧା ପୋଷାକରେ ଆସି ପହଞ୍ଚିଥିଲେ।

ଜୁଆ ଖେଳପାଖରେ ରୁଣ୍ଢ ହୋଇଥିବା ଲୋକଙ୍କୁ ଲାଠିରେ ଅତର୍କିତ ପିଟିବା ସହ କିଛି ଜୁଆ ଖେଳାଳିଙ୍କୁ ଧରିଆଣି ଗାଡିର ବସାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକ ଉତ୍‌କ୍ଷୀପ୍ତ ହୋଇ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ଟିମ୍ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ ମଧ୍ୟ ଲୋକେ ଏହାକୁ ଖାତିର ନକରି ଗୋଡେଇ ଗୋଡେଇ ପିଟିଥିଲେ। ଜୀବନ ବିକଳରେ ପୁଲିସ ସେ ସ୍ଥାନ ଛାଡି ପଳାଥିଲେ।

ଖବରପାଇ ବାଲିପାଟଣା ପୁଲିସ ସେଠାରେ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡିକୁ ଉଦ୍ଧାର କରିଥିଲେ। କମିସନରେଟ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଆଜି ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପଲ, ଜୋନ-୪ ଏସିପି ପରେଶ କୁମାର ରାୟ, ଏୟାର ଫିଲ୍ଡ ଆଇଆଇସି ରାଧାକାନ୍ତ ସାହୁ, ବାଲିଅନ୍ତା ଆଇଆଇସି ଯୁବରାଜ ସ୍ୱାଇଁ, ଲକ୍ଷ୍ମୀସାଗର ଆଇଆଇସି ଓମ୍ ପ୍ରକାଶ ମହାନ୍ତି, ଧଉଳି ଆଇଆଇସି ଚିତ୍ତରଞ୍ଜନ ରାଉତ, ପାହାଳ ଆଇଆଇସି ଷ୍ଟାଲିନ୍ ବିଶ୍ୱାଳ ଓ ବାଲିପାଟଣା ଆଇଆଇସି କୃପାସିନ୍ଧୁ ବରାଡଙ୍କ ସହ ବ୍ୟାପକ ପୁଲିସ ଟିମ୍ ଯାଇ ଉକ୍ତ ଅଞ୍ଚଳରେ ଚଢ଼ଉ କରି ୩୦ରୂ ଊର୍ଦ୍ଧ୍ବ ଲୋକଙ୍କୁ ଆଣି ଅଟକ ରଖିଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ଅଂଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମଗୁଡିକ ପୁରୁଷ ଶୂନ୍ୟ ହୋଇଯାଇଛି।