ନୂଆଦିଲ୍ଲୀ,ଏଜେନ୍ସି: ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ପଇଁତରା ମାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପୂର୍ବ ଲଦାଖ ସେକ୍ଟରରେ ଉନ୍ନତ ଧରଣର ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ (ଏୟାର ଡିଫେନ୍ସ ସିଷ୍ଟମ) ମୁତୟନ କରିଛି।
ସରକାରୀ ରିପୋର୍ଟ ଅନୁଯାୟୀ ଏହି ସେକ୍ଟରରେ ଚୀନ୍ ସେନାର ଲଢୁଆ ଜେଟ୍ ଓ ସେନା ହେଲିକପ୍ଟର ଅହରହ ଉଡୁଥିବାରୁ ସେଭଳି କୌଣସି ସ୍ଥିତି ଉପୁଜିଲେ ତାର ମୁକାବିଲା କରିବା ଲାଗି ଭାରତୀୟ ସେନା ପ୍ରସ୍ତୁତ ହେଉଛି। ଇତି ମଧ୍ୟରେ ଭାରତୀୟ ସେନା ପକ୍ଷରୁ ଚୀନ୍ ସହ ଥିବା ୩୪୮୮ କିଲୋମିଟର ଦୀର୍ଘ ସୀମାରେ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି। ନିକଟ ଅତୀତରେ ଏହି ସୀମାରେ ଭାରତ କେବେ ବି ଏତେ ସଂଖ୍ୟାରେ ସୈନ୍ୟ ଠୁଳ କରିନଥିଲା। ଏହି ସୂତ୍ରରୁ ପ୍ରକାଶ ଯେ, ପୂର୍ବ ଲଦାଖ ଅଞ୍ଚଳରେ ଭାରତୀୟ ସେନା ଅଧିକ ତିନି ଡିଭିଜନ ସୈନ୍ୟ ମୁତୟନ କରିଛି।
କେବଳ ସେତିକି ନୁହେଁ ଲଦାଖ ସେକ୍ଟରରୁ ଦୁଇ ଦେଶ ସେନା ପ୍ରତ୍ୟାହାର କରିବା ଲାଗି ଗତ ୬ ତାରିଖରେ କମାଣ୍ଡରସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଅନୁପାଳନ କରୁଛି କି ନାହିଁ ତା ଉପରେ ନଜର ରଖିଛି ଭାରତୀୟ ସେନା।