ଜୁଲାଇ ୯ରୁ ବିପିୟୁଟି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିପିୟୁଟି ଅଧୀନରେ ପରିଚାଳିତ ବୈଷୟିକ କଲେଜଗୁଡ଼ିକର ଶେଷ ରେଗୁଲାର ସେମିଷ୍ଟର ପରୀକ୍ଷା ଆସନ୍ତା ୯ତାରିଖରୁ ଆରମ୍ଭ ହେବ। ଏନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତିରେ ଦର୍ଶାଯାଇଥିବା ସୂଚନା ଅନୁଯାୟୀ ବି.ପ୍ଲାନ, ବି.ଆର୍କିଟେକ, ବି.ଫାର୍ମା, ଏମବିଏ, ବିଟେକ୍, ଏମଏସସି ଏବଂ ପାର୍ଟ ଟାଇମ୍ ଏମବିଏ ବିଷୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଶେଷ ବର୍ଷ ପରୀକ୍ଷା ବା ଶେଷ ସେମିଷ୍ଟର ଜୁଲାଇ ୯ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ ବା ମକ୍ ଟେଷ୍ଟ ଜୁଲାଇ ୨ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ସମସ୍ତ ଥିଓରୀ ପରୀକ୍ଷା ୨ଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଓ ୨ୟ ସିଟିଂ ଦିନ ୨ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ପ୍ରାକ୍ଟିକାଲ ବା ମକ୍ ଟେଷ୍ଟ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟରେ ଥିବା ୧୩୭ଟି ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ ପରୀକ୍ଷା କେନ୍ଦ୍ର ବଦଳରେ ଅନ୍ଲାଇନ୍ ଟେଷ୍ଟ କରିବାକୁ ବିପିୟୁଟି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସିବିଟି ସେଣ୍ଟର କରାଯାଇଛି। ଏହି ସିବିଟି ସେଣ୍ଟରରେ ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରାଯିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ଼ଲାଇନ୍ ଯେପରି କାର୍ଯ୍ୟକାରୀ ହେବ ସେଥିଲାଗୁ ସର୍ବାଧିକ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ ଟେଷ୍ଟ ଲାଗି ପରୀକ୍ଷାର୍ଥୀମାନେ ସେମାନଙ୍କର ପରିଚୟ ପତ୍ର ସାଥିରେ ରଖିବା ବାଧ୍ୟତାମୂଳକ କରାଯାଇଛି।

ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର କରିବା ସହ ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରରେ ସର୍ବାଧିକ ୩୦ଜଣ ପରୀକ୍ଷାର୍ଥୀ ବସିପାରିବେ। ସମ୍ପୃକ୍ତ କକ୍ଷରେ ଜଣେ ନିରୀକ୍ଷକଙ୍କୁ ନିୟୋଜିତ କରାଯିବ। ସେହିପରି ଯେଉଁ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବ୍ୟବସ୍ଥା କରାଯାଇଛି। ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ।