ଭୁବନେଶ୍ୱର,୨୬ା୬/ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ଦାବି ଯୋର୍ ଧରିଛି। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନର ବିକାଶରେ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଇଛି। ଏନେଇ ଓଡ଼ିଶା କଲଚରାଲ୍ ସର୍କଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଦାବି ଉପସ୍ଥାପନ କରିଛି।
ସର୍କଲର ଅଧ୍ୟକ୍ଷ ତଥା ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡିଶାର ଅଧ୍ୟକ୍ଷ ଜେକେ ମହାନ୍ତି ଲେଖିଥିବା ଏହି ଚିଠିରେ ଉଲ୍ଲେଖ ରହିଛି ଯେ ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ସାରା ଦେଶ ଓ ବିଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଉତ୍ସବ ଦେଖିବାକୁ ଆସନ୍ତି। ରଥଯାତ୍ରା ଆଉ ପୁରୀ କିମ୍ବା ଓଡ଼ିଶା ଭିତରେ ସୀମିତ ହୋଇ ରହିନାହିଁ। ଏହା କେବଳ ଓଡ଼ିଆମାନଙ୍କ ପର୍ବ ହୋଇ ମଧ୍ୟ ରହିନାହିଁ। ଦେଶର ପ୍ରାୟ ଅଧିକାଂଶ ପ୍ରମୁଖ ସହରରେ ଏହି ପର୍ବ ପାଳନ କରାଯାଉଛି।
ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଭାଗ ନେଉଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ରଥରେ ଦେଖିବାକୁ ଓ ରଥ ଟାଣିବାକୁ ସାରା ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି ପବିତ୍ର ଦିନକୁ ଜାତୀୟ ଛୁଟି ଘୋଷଣା କଲେ ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେଇପାରନ୍ତେ। ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଓ ଧାର୍ମିକ ଭାବନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରଥଯାତ୍ରା ଆହୁରି ଲୋକପ୍ରିୟ ହୋଇପାରନ୍ତା ବୋଲି ଜାତୀୟ ଛୁଟି ଘୋଷଣା ପ୍ରସ୍ତାବ ପଛରେ ସେ ଏହି ଯୁକ୍ତି ଦର୍ଶାଇଛନ୍ତି।