ବାଙ୍ଗଲାଦେଶକୁ ୧୦ଟି ଡିଜେଲ ରେଳ ଇଞ୍ଜିନ୍ ପ୍ରଦାନ କଲା ଭାରତ

ନୂଆଦିଲ୍ଲୀ: ବାଙ୍ଗଲାଦେଶକୁ ସହାୟତାର ହାତ ବଢ଼ାଇଲା ଭାରତ। ବାଙ୍ଗଲାଦେଶର ରେଳ ଢ଼ାଞ୍ଚାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ୧୦ଟି ଡିଜେଲ ରେଳ ଇଞ୍ଜିନ୍ ପ୍ରଦାନ କରିଛି। ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ ଉପସ୍ଥିତିରେ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଡିଜିଟାଲ ମାଧ୍ୟମରେ ଏହି ରେଳ ଇଞ୍ଜିନକୁ ସବୁଜ ସଙ୍କେତ ଦେଖାଇଛନ୍ତି। ଏହି ଅବସରରେ ବାଙ୍ଗଲାଦେଶର ବିଦେଶ ମନ୍ତ୍ରୀ ଅବୁ କଲାମ ଅବଦୁଲ ମେନନ ଓ ରେଳମନ୍ତ୍ରୀ ମହମ୍ମଦ ନୁରୁଲ ଇସଲାମ ସୁଜମ ମଧ୍ୟ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଗେଦେ ଷ୍ଟେସନରୁ ଉକ୍ତ ଇଞ୍ଜିନକୁ ବାଙ୍ଗଲାଦେଶ ପଠାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହି ୧୦ଟି ଡଜେଲ ଇଞ୍ଜିନ ଦ୍ୱାରା ବାଙ୍ଗଲାଦେଶର ଶକ୍ତି ବୃଦ୍ଧି ହେବ। ଭାରତ ମାତ୍ର ୧ ପ୍ରତିଶତ ଋଣରେ ବାଙ୍ଗଲାଦେଶକୁ ଏହା ପ୍ରଦାନ କରିଛି ଯାହାକୁ ବାଙ୍ଗଲାଦେଶ ୨୦ ବର୍ଷରେ ସୁଝିବ। ଭାରତ ଗତ କିଛି ବର୍ଷରେ ପଡ଼ୋଶୀ ଦେଶ ବାଙ୍ଗଲାଦେଶରେ ସଡ଼କ, ରେଳ ଓ ବନ୍ଦରାଗାର ବିକଶିତ କରିବା ପାଇଁ ଅନେକ ଯୋଜନାରେ ସାହାଯ୍ୟର ହାତ ବଢ଼ାଇଛି। ଏଥିସହିତ କେନ୍ଦ୍ର ସରକାର ଏହି ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।