ଭାରତରେ ୩ୟ ଡୋଜ୍‌ର ଆବଶ୍ୟକତା ନାହିଁ- ଡ. ଗୁଲେରିଆ

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନ ଦେଶରେ କୋଭିଡ୍‌ର ନିରାକରଣ ପାଇଁ ତୃତୀୟ ଡୋଜ୍ ଟିକାର କୌଣସି ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ସ୍ପଷ୍ଟ କରିଛନ୍ତି। ବୁଧବାର ଏଠାରେ ପ୍ରଫେସର ବଳରାମ ଭାର୍ଗବଙ୍କ ଦ୍ୱାରା ଲିଖିତ ‘ଗୋଇଙ୍ଗ୍ ଭାଇରାଲ’ ପୁସ୍ତକୁ ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପୁନଶ୍ଚ ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଆନୁପାତିକଭାବେ ତ୍ୱରାନ୍ୱିତ କରାଯାଉଛି। ତେଣୁ ତୃତୀୟ ଡୋଜ୍ ନେବାର ସେଭଳି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

୨୦୨୦ରେ ଭାରତରେ କୋଭିଡ୍ ସଂକ୍ରମଣ ଦେଖାଦେବାପରେ ବିଦେଶରୁ କୋଭିଡ୍ ଟିକା ଆମଦାନି କରାଯାଉଥିଲା। ତେବେ କେନ୍ଦ୍ର ସରକାରଙ୍କ ତତ୍ପରତା ଓ ଆନ୍ତରିକତା ଯୋଗୁଁ ଦେଶରେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଚଳିତବର୍ଷ ଜାନୁଆରୀ ୧୬ରୁ ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ କରାଯାଇଛି। କେବଳ ଘରୋଇ ଚାହିଦାକୁ ପୂରଣ କରିବା ବ୍ୟତୀତ ଭାରତ ବିଦେଶକୁ ମଧ୍ୟ ଏହା ରପ୍ତାନୀ କରିବାରେ ସକ୍ଷମ ହୋଇଥିବା ସେ କହିଛନ୍ତି। ପୁନଶ୍ଚ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି ମିଳିଥିବାବେଳେ ଏକାଧିକ ବିଦେଶୀ ରାଷ୍ଟ୍ର ମଧ୍ୟ ଏହି ଟିକାକୁ ଅନୁମୋଦନ କରିସାରିଲେଣି। ଏହା ଭାରତ ପାଇଁ ବିଶେଷ ଉପଲବ୍ଧୀ ଏବଂ ଆମର ବୈଜ୍ଞାନିକମାନେ ଏଥିପାଇଁ ବାସ୍ତବିକ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି।

ଅପରପକ୍ଷରେ ଉତ୍ସବରେ ଉପସ୍ଥିତ ଥିବା ନିତି ଆୟୋଗ ସଦସ୍ୟ ଡ. ଭି.କେ.ପଲ୍ କହିଛନ୍ତି ଯେ ଆବଶ୍ୟକ ପଡିଲେ, ତୃତୀୟ ଡୋଜ୍ କଥା ଚିନ୍ତା କରାଯିବ। ଏଥିପାଇଁ ଦେଶର ବୈଜ୍ଞାନିକମାନେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଗବେଷଣା ଚଳାଇଛନ୍ତି। ଯେଉଁ ବିଦେଶୀ ରାଷ୍ଟ୍ରରେ ଲୋକେ ଦୁଇଟି ଡୋଜ୍ ନେଇସାରିଛନ୍ତି, ସେଠାରେ ତୃତୀୟ କିମ୍ବା ବୁଷ୍ଟର ଡୋଜ୍ ଦିଆଯାଉଛି। ଭାରତରେ ଯେହେତୁ ସବୁ ଲୋକ ଡବଲ ଡୋଜ୍ ନେଇନାହାନ୍ତି, ତେଣୁ ତୃତୀୟ ଡୋଜ୍ ସମ୍ପର୍କରେ ଏବେଠାରୁ ବ୍ୟସ୍ତ ହେବାର କୌଣସି ଯଥାର୍ଥତା ନାହିଁ ବୋଲି ଡାଃ ପଲ୍ କହିଛନ୍ତି।

ଭାରତରୁ କୋଭିଡ୍ ସମ୍ପୂର୍ଣ୍ଣ ଲୋପ ପାଇନଥିବାବେଳେ ନିକଟ ଭବିଷ୍ୟତରେ ମଧ୍ୟ ଏହି ସମ୍ଭାବନା ନାହିଁ। କୋଭିଡ୍ ଭୂତାଣୁ ଯେତେ ରୂପ ବଦଳାଇଲେ ସୁଦ୍ଧା ଏହାର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ବୋଲି ଡ. ପଲ୍ ପ୍ରତିଶ୍ରୁତି ଦେଇଛନ୍ତି।