ଭାରତରେ ସନ୍ତାନ ଜନ୍ମ ହାର ହ୍ରାସ ପାଉଛି- ଏନ୍‌ଏଫ୍‌ଏଚ୍‌ଏସ୍ ରିପୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ପ୍ରଜନନ ହାର (ସନ୍ତାନ ଜନ୍ମ) ହ୍ରାସ ପାଉଛି ବୋଲି ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟରୁ ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଣେ ଭାରତୀୟ ମହିଳା ତାଙ୍କର ଜୀବନକାଳ ମଧ୍ୟରେ ହାରାହାରି ୨ଟି ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି। ପୂର୍ବରୁ ଏହି ହାର ୨.୨ ରହିଥିଲା। ଜନସଂଖ୍ୟାକୁ ସଠିକସ୍ତରରେ ରଖିବାକୁ ଟିଏଫ୍‌ଆର୍ (ଟୋଟାଲ ଫର୍ଟିଲିଟି ରେଟ୍‌) ୨.୧ ରହିବା ଜରୁରୀ ବୋଲି କୁହାଯାଇଛି। ୨୦୧୫ରୁ ୨୦୧୬ ମଧ୍ୟରେ କରାଯାଇଥିବା ସର୍ଭେ ଅନୁଯାୟୀ ଭାରତରେ ପ୍ରଜନନ ହାର ୨.୨ ରହିଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିବାବେଳେ ପ୍ରଜନନ ହାର ୨କୁ ଖସିଥିବା ଜଣାପଡିଛି। ଏହାଫଳରେ ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ ସଫଳ ହୋଇପାରିଛି ବୋଲି ନିତି ଆୟୋଗ ସଦସ୍ୟ ଡାଃ ଭି.କେ.ପଲ୍ କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ-ଏନ୍‌ସିିଆର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିଲା। ଏଥିମଧ୍ୟରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶକୁ ବାଦଦେଲେ ଅନ୍ୟ ରାଜ୍ୟଗୁଡିକ ଟିଏଫ୍‌ଆର ୨.୧ ହାସଲ କରିପାରିଥିବା ଜଣାପଡିଛି। ଅପରପକ୍ଷରେ ଦେଶରେ କଣ୍ଟ୍ରାସେପ୍‌ଟିଭ୍ ପ୍ରିଭାଲେନ୍ସ ରେଟ୍ (ସିପିଆର) ୫୪ରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି। ପରିବାର ନିୟୋଜନ ବ୍ୟବସ୍ଥା ୧୩ରୁ ୯ ପ୍ରତିଶତକୁ ହ୍ରାସ ପାଇଛି। ଦେଶରେ ପରିବାର ନିୟୋଜନ ପାଇଁ ୧୯୫୨ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମହିଳାଙ୍କ ନିକଟରେ ଶିକ୍ଷାଗତ ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଏତେଟା ସଫଳ ହୋଇପାରିନଥିଲା।

ପରବର୍ତ୍ତୀ ସମୟରେ ପରିବାର ନିୟୋଜନ ନିମନ୍ତେ ବିଭିନ୍ନ କଣ୍ଟ୍ରାସେପ୍‌ଟିଭ୍ ମାର୍କେଟକୁ ଆସିବା ସହ ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବାରୁ ଏହି କାର୍ଯ୍ୟକ୍ରମ ସଫଳତାର ସ୍ୱାଦ ଚାଖିଥିଲା। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ଉଦ୍ୟମ କରୁଥିବାରୁ ଉତ୍ତମ ଫଳ ମିଳୁଛି ବୋଲି ଡାଃ ପଲ୍ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିବାକୁ କେନ୍ଦ୍ର ସରକାର ୨୦୧୬ରେ ‘ମିଶନ ପରିବାର ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜନସଂଖ୍ୟା ବୃଦ୍ଧି ପାଉଥିବା ବିହାର, ଉତ୍ତରପ୍ରଦେଶ, ଆସାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡ଼ଖଣ୍ଡର ୧୪୬ଟି ଜିଲ୍ଲା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଥିଲା। ବର୍ତ୍ତମାନ ଏହି ଜିଲ୍ଲାଗୁଡିକରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇଥିବା କୁହାଯାଇଛି।