କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଭାରତ ବନ୍ଦ ଆଜି

ନୂଆଦିଲ୍ଲୀ,ଏଜେନ୍ସି: ସରକାରଙ୍କ ନୂଆ କୃଷି ଆଇନକୁ କେନ୍ଦ୍ର କରି ଦିଲ୍ଲୀ ସୀମାରେ ଜାରି ରହିଥିବା ଆନ୍ଦୋଳନକୁ ୪ ମାସ ବିତିଯାଇଛି। ଗତବର୍ଷ ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦେଶବ୍ୟାପୀ ତୀବ୍ର ରୂପ ନେଇଛି। ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ପାଳନ କରୁଛନ୍ତି। ପୂର୍ଣ୍ଣ ଭାରତ ବନ୍ଦ ଅନୁଯାୟୀ ସମସ୍ତ ଦୋକାନ, ସପିଂ ମଲ୍‌, ବଜାର ଓ ଅନ୍ୟ ସଂସ୍ଥା ବନ୍ଦ ରଖିବାକୁ ଚାଷୀମାନେ ଆହ୍ୱାନ ଦେଇଛନ୍ତି। ଏହି କ୍ରମରେ ରାଜରାସ୍ତା ବନ୍ଦ ରହିବାରୁ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ରହିବ । ସେହିଭଳି ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହେବ। ଆମ୍ବୁଲାନ୍ସ ଓ ଅନ୍ୟ ଆବଶ୍ୟକ ଜରୁରୀ ସୁବିଧା ଜାରି ରହିବ। କଂଗ୍ରେସ, ବାମଦଳ ସମେତ ଅନେକ ବିରୋଧୀ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି।

ଚାଷୀଙ୍କ ଭାରତ ବନ୍ଦ ଆହ୍ୱାନକୁ ଦୃଷ୍ଟିରେ ରଖି ହରିୟାଣା ପୁଲିସ ସତର୍କ ରହିଛି। ସମ୍ବେଦନଶୀଳ ଜିଲ୍ଲାରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି। ପଲବଲରେ ଦିଲ୍ଲୀ-ଆଗ୍ରା ହାଇୱେ ଜାମ ରହିବ। ପ୍ରଭାବିତ ଅଞ୍ଚଳରେ କ୍ଷୀର ଓ ପନିପରିବା ଭଳି ଆବଶ୍ୟକ ସାମଗ୍ରୀର ଯୋଗାଣକୁ ମଧ୍ୟ ବନ୍ଦ ହେବା ଆଶା ଦେଖାଯାଇଛି।

ଭାରତୀୟ ଚାଷୀ ସଂଗଠନର ରାଜ୍ୟ ସମ୍ପାଦକ ଚୌଧୁରୀ ବିସି ପ୍ରଧାନ କହିଛନ୍ତି ଯେ, ତାଙ୍କର ସଂଗଠନ ଭାରତ ବନ୍ଦରେ ଜଡ଼ିତ ରହିବ ନାହିଁ। ସେହିଭଳି ଭାରତ ବନ୍ଦକୁ ସମର୍ଥନ କରିବ ନାହିଁ। ଅନ୍ୟପଟରେ ଭାରତୀୟ କିଷାନ ୟୁନିୟନର ରାଜ୍ୟ ମୁଖପାତ୍ର ପୱନ ଖଟାନା କହିଛନ୍ତି ଯେ, ଗୌତମବୁଦ୍ଧନଗରରେ ଚାଷୀ ଶୁକ୍ରବାର ଦିନ ୧୨ଟାରେ ଟକିଜ ଗେଲଚକ୍କରରେ ଚକା ଜାମ କରିବେ।

ଦେଶର ୮ କୋଟି ବ୍ୟବସାୟୀ ଭାରତ ବନ୍ଦକୁ ସମର୍ଥନ ଜଣାଇ ନାହାନ୍ତି। ସଂଗଠନର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଗୁରୁବାର କହିଛନ୍ତି ଯେ, ସେମାନେ ଶୁକ୍ରବାର ଦୋକାନ ବଜାର ଖୋଲିବେ। କାରଣ ସେମାନେ ଭାରତ ବନ୍ଦରେ ସାମିଲ ହେବେ ନାହିଁ। ଦିଲ୍ଲୀ ଏବଂ ଦେଶର ଅନ୍ୟ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଛି।