୪୯୭ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ବିଦେଶ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ବାଂଲାଦେଶ ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତ ମାର୍ଚ୍ଚ ୨୬ ଓ ୨୭ରେ ରହିଛି। ଏହି ଗସ୍ତ କାଳରେ ମୋଦୀ ମତୁଆ ସଂପ୍ରଦାୟର ପ୍ରତିଷ୍ଠାତା ହରିଚାନ୍ଦ ଠାକୁରଙ୍କ ଜନ୍ମସ୍ଥଳୀ ଯିବେ। ସେଠାରେ ମୋଦୀ ମତୁଆ ସଂପ୍ରଦାୟର ଲୋକଙ୍କୁ ଭେଟିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ୩ଟି କାରଣକୁ ନେଇ ଚର୍ଚ୍ଚା ହେଉଛି। ପ୍ରଥମତଃ ବାଂଲାଦେଶ ସ୍ୱାଧୀନ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ସମାରୋହ, ଦ୍ୱିତୀୟରେ ବଂଗବଂଧୁ ଶେଖ ମୁଜୀବୁର ରହମାନଙ୍କ ଜନ୍ମ ଶତାବ୍ଦୀ ଓ ତୃତୀୟରେ ଭାରତ-ବାଂଲାଦେଶ ମଧ୍ୟରେ ଥିବା ୫୦ ବର୍ଷର କୁଟନୈତିକ ସଂପର୍କ ବୋଲି କୁହାଯାଉଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ସୁସଂପର୍କ ରହିଛି। ଭାରତର ପୂର୍ବୋତ୍ତର ନୀତି ଆହୁରି ମଜଭୁତ ହୋଇଛି। କରୋନା ସଂକଟ ସମୟରେ ଭାରତର ପଡୋଶୀକୁ ପ୍ରାଥମିକତା ନୀତି ଅନୁସାରେ ବାଂଲାଦେଶକୁ ଅଧିକ କରୋନା ଟିକା ପଠାଇଛି। ବାଂଲାଦେଶକୁ ୯୦ ଲକ୍ଷ ଡୋଜ ଟିକା ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତରେ ଢାକା ଓ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ମଧ୍ୟରେ ଟ୍ରେନ ସେବାକୁ ସବୁଜ ସଂକେତ ମିଳିପାରେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ୪୯୭ ଦିନ ପରେ ବିଦେଶ ଯାତ୍ରା କରୁଛନ୍ତି। ଏହା ପୂର୍ବରୁ ସେ ୨୦୧୯ ନଭେମ୍ବର ମାସରେ ବ୍ରାଜିଲ ଗସ୍ତ କରିଥିଲେ। ୨୦୧୪ ଜୁନରୁ ୨୦୧୯ ନଭେମ୍ବର ମଧ୍ୟରେ ମୋଟ ୯୯ଟି ଦେଶକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ ୨୦୧୪ରେ ୮ଟି, ୨୦୧୫ରେ ୨୩ଟି, ୨୦୧୬ରେ ୧୭ଟି, ୨୦୧୭ରେ ୧୭ଟି, ୨୦୧୮ରେ ୨୦ଟି ଓ ୨୦୧୯ରେ ୧୪ଟି ଦେଶ ଗସ୍ତ କରିଛନ୍ତି।