ହସ୍ପିଟାଲରେ ଅଗ୍ନିକାଣ୍ଡ; ୨ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ,ଏଜେନ୍ସି: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ହସ୍ପିଟାଲରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଭାଡୁପ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ଏକ ସପିଂ ମଲର ୩ୟ ମହଲାରେ ପରିଚାଳିତ ହେଉଥିବା ହସ୍ପିଟାଲରେ ରାତି ପ୍ରାୟ ସାଢ଼େ ୧୧ଟାରେ ନିଆଁ ଲାଗିଥିଲା। ସେହି ସମୟରେ ହସ୍ପିଟାଲରେ ପ୍ରାୟ ୭୦ରୁ ଅଧିକ ରୋଗୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ରୋଗୀ ଥିବା ଜଣାଯାଇଛି। ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ସମସ୍ତ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ନିଆଁକୁ ଆୟତ୍ତ କରିବା ଲାଗି ପ୍ରାୟ ୨୦ଟି ଦମକଳ ଗାଡ଼ି ପହଞ୍ଚିଥିଲା। ନିଆଁ କେମିତି ଲାଗିଲା, ତାହାର ତଦନ୍ତ କରାଯାଉଛି। ଘଟଣା ସମ୍ପର୍କରେ ଡିସିପି ପ୍ରଶାନ୍ତ କଦମ କହିଛନ୍ତି ଯେ, ପାଖାପାଖି ୯୦ରୁ ୯୫ ପ୍ରତିଶତ ରୋଗୀଙ୍କୁ ଉଦ୍ଧାର କରାଯାଇଛି। ଦୁଃଖର ବିଷୟ ଯେ, ୨ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।