ରାୟଗଡା ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ: ଚକ ଅଖ ସହ ଘରୋଇ ବସ ଚଳାଚଳ ଠପ୍

ରାୟଗଡା,ଏନ୍ଏନ୍ଏସ୍: କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡ଼ାକରାରେ ରାୟଗଡ଼ା ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି। ସ୍ଥାନୀୟ କପିଳାସ ଛକରେ ସିପିଆଇ (ଏମଏଲ) ଲିବାରେସନ, ଅଖିଳ ଭାରତୀୟ କୃଷକ ମହାସଭା, ଇଣ୍ଡିଆନ ନେସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି। ଫଳରେ ରାୟଗଡା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଭାରତ ବନ୍ଦ ଡାକରା ଯୋଗୁଁ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। ଏହା ସାଙ୍ଗକୁ ରାୟଗଡା ବସ ଷ୍ଟାଣ୍ଡରୁ ସରକାରୀ କିମ୍ବା ଘରୋଇ ବସ ଚଳାଚଳ କରୁନାହିଁ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଆନ୍ଦୋଳନ ସ୍ଥଳରେ ପୁଲିସ ମୁତୟନ କରାଯାଇଛି। ସେହିପରି ଗୁଣୁପୁରର ସଦର ମହକୁମା ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପାରମ୍ପରିକ ଢ଼ଙ୍ଗରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି।

ଏଥିସହ ଘରୋଇ ବସ ଚଳାଚଳ ବନ୍ଦ କରି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରିଛନ୍ତି। ଅନ୍ୟପଟେ ସରକାରୀ କ୍ଷେତ୍ର ଗୁଡ଼ିକୁ ଘରୋଇ କମ୍ପାନୀକୁ ବିକ୍ରି ବନ୍ଦ କରିବା ଏବଂ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି। ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ଗୁଣୁପୁର ସଦର ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।