ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନରେ ଆଇଏସଆଇଏସର ଆକ୍ରମଣକୁ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା। ଆଫଗାନୀଙ୍କ ଏ ଘଡିସନ୍ଧି ମୁହୂର୍ତ୍ତରେ ଆତଙ୍କବାଦୀ ସଂଗଠନର ଆକ୍ରମଣକୁ ତୀବ୍ର ବିରୋଧ କରିଛନ୍ତି ବିଭିନ୍ନ ଦେଶ। ଏଥିସହ ଆତଙ୍କବାଦୀ ସଂଗଠନ ବିରୋଧରେ ଏକାଠି ହେବାକୁ ସାରା ବିଶ୍ୱକୁ ଆହ୍ୱାନ କରିଛି ଭାରତ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାକୁ ତୀବ୍ର ନିନ୍ଦା କରି କହିଛି ଯେ, ‘କାବୁଲରେ ଘଟିଥିବା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରୁଛି। ଏହି ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ପରିବାର ବର୍ଗଙ୍କୁ ଆମେ ହୃଦୟରୁ ସମବେଦନା ଜଣାଉଛୁ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛୁ। ଏପରି ଆତଙ୍କବାଦୀ ଆକ୍ରମଣ ଏବଂ ସଂଗଠନ ବିରୋଧରେ ବିଶ୍ୱକୁ ଏକାଠି ହୋଇ ଦୃଢ଼ ନିନ୍ଦା କରିବା ସହ ଏହାର ମୂଳୋତ୍ପାଟନ ପାଇଁ ଲଢିବାର ସମୟ ଆସିଛି।’
ଆତଙ୍କବାଦ ବିରୋଧରେ ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି ସେମାନଙ୍କ ବିରୋଧରେ ଏକଜୁଟ ହେବାକୁ ସାରା ବିଶ୍ୱକୁ ଆହ୍ୱାନ କରିଛି ଭାରତ। ସେହିପରି ଆଇଏସଆଇଏସର ଏପରି କାର୍ଯ୍ୟକଳାପକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି। ଏଥିସହ ଆତଙ୍କୀ ସଂଗଠନ ଆଇଏସଆଇଏସକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି। ବାଇଡେନ କହିଛନ୍ତି ଯେ, ‘ଘଟଣାକୁ ଭୁଲିବୁନି, ଖୋଜି ଖୋଜି ମାରିବୁ।’