ଆସାମରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ଜଣେ ଆହତ

ଆସାମ,ଏଜେନ୍ସି: ଆତଙ୍କବାଦୀ ଆକ୍ରମଣରେ ଆସାମର ଡିମା ହାସାଓ ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା ଖବର ମିଳିଛି। ପୁଲିସ କହିଛି ଯେ ରାତି ପ୍ରାୟ ୮ଟା ୩୦ ସମୟରେ କିଛି ସଶସ୍ତ୍ର ଲୋକ ଟ୍ରକକୁ ଅଟକାଇ ଥିଲେ, ପରେ ଅନ୍ଧାନ୍ଧୁନ ଭାବେ ଗୁଳି ଚଳାଇବା ଆରମ୍ଭ କରିଥିଲା।

କିଛି ସମୟ ଗାଡି ଉପରକୁ ଗୁଳି ଚଳାଇବା ପରେ ସେମାନଙ୍କୁ ଜାଳି ଦେଇଥିଲେ। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଟ୍ରକର ଡ୍ରାଇଭର ଏବଂ ସହାୟକ ଥିଲେ ବୋଲି ଡିମା ହାସାଓ ଜିଲ୍ଲା ଏସପି ଜୟନ୍ତ ସିଂ କହିଛନ୍ତି।

ଏହି ଆକ୍ରମଣରେ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ)ର ସମ୍ପୃକ୍ତି ଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ସିଂ କହିଛନ୍ତି, ଘଟଣା ପରେ ତୁରନ୍ତ ଅତିରିକ୍ତ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ କୁମ୍ବିଂ ଅପରେସନ୍ ଚାଲିଛି।

ଏପ୍ରିଲ୍ ୨୦୧୯ରେ ଗଠିତ, ‘ଡିଏନଏଲଏ’ ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ଡିମାସା ସମ୍ପ୍ରଦାୟ ପାଇଁ ସ୍ୱାଧୀନ ରାଷ୍ଟ୍ର ଦାବି କରୁଛି। ଗତ କିଛି ମାସ ହେବ ସୁରକ୍ଷା ବଳ ସହିତ ଯୁଦ୍ଧରେ ଏହି ଗୋଷ୍ଠୀର ସଦସ୍ୟମାନେ ନିହତ ହୋଇଥିଲେ ଏବଂ କିଛି ଆତ୍ମସମର୍ପଣ କରିଛନ୍ତି।